ଅନୁଗୁଳ : ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳ ଅଧୀନରେ ଥିବା ଗାଁରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ରୋକିବା ପାଇଁ ଏକ ନୂଆ ଯୋଜନାକୁ ପାଇଲଟ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ କରିବାକୁ ଯାଉଛି ବନବିଭାଗ। ଏଥିରେ ନୂତନ ଭାବେ ୫୦ ଜଣ ‛ଗଜସାଥୀ’ଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯାଇଛି। ଏହି ଗଜସାଥୀମାନେ ବନ ବିଭାଗର ସହାୟକ ଦଳ ଭାବେ ରହିବେ। ବନ ବିଭାଗର ସମସ୍ତ କାର୍ଯ୍ୟରେ ମଧ୍ୟ ଏମାନେ ନିୟୋଜିତ ହେବେ।
ଅନୁଗୁଳ ବନଖଣ୍ଡ ଅଧୀନରେ ଥିବା ୬ଟି ବନାଞ୍ଚଳ ମଧ୍ୟରୁ ଅନୁଗୁଳ, ଛେଣ୍ଡିପଦା, ତାଳଚେର, ଜରପଡା ଓ କଣିହାଁ ଆଦି ବନାଞ୍ଚଳରେ ହାତୀ ଉପଦ୍ରବ ଠାରୁ ବନ୍ତଳାରେ ସବୁଠାରୁ ଅଧିକ ଉପଦ୍ରବ ଲାଗି ରହିଥାଏ। ଏହାକୁ ଆଖି ଆଗରେ ରଖି ବନବିଭାଗ ଏବେ ନୂଆ ଯୋଜନାରେ ୫୦ ଜଣ ‛ଗଜସାଥୀ’ଙ୍କୁ ବର୍ଷିକିଆ ନିଯୁକ୍ତି ଦେଇଛି। ବର୍ଷକୁ ୫ ମାସ ବଦଳରେ ପୂରା ୧୨ ମାସ ଏମାନେ ହାତୀ ଘଉଡ଼ାଇବା କାର୍ଯ୍ୟରେ ନିୟୋଜିତ ରହିବେ। ପ୍ରତିଦିନ ଏମାନଙ୍କ ଉପସ୍ଥାନ ରହିବ। ଯେତେ ଦିନ କାମ କରିବେ ସେ ଅନୁସାରେ ବେତନ ପାଇବେ ବୋଲି ବିଭାଗ ପକ୍ଷରୁ ସୂଚନା ରହିଛି। ଦିନକୁ ୪୫୦ ଟଙ୍କା ଲେଖାଏଁ ପ୍ରତି ବ୍ୟକ୍ତି ପିଛା ଦେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଯେଉଁ ସମୟରେ ହାତୀଙ୍କ ଉତ୍ପାତ ଲାଗି ରହୁଛି ସେ ସମୟରେ ଏମାନେ ଏହି କାର୍ଯ୍ୟରେ ନିୟୋଜିତ ରହିବେ। ଅନ୍ୟ ସମୟରେ ଜଙ୍ଗଲ ବିଭାଗର ସମସ୍ତ ପାରମ୍ପରିକ କାର୍ଯ୍ୟ ଯଥା, ଜଙ୍ଗଲ ସୁରକ୍ଷା, ନିଆଁଲିଭା, ବନୀକରଣ, ଶିକାରୀ ନିରୋଧୀ ଅପରେସନ, ଜଙ୍ଗଲ ଜନିତ ଅପରାଧିକ କାର୍ଯ୍ୟ କଳାପକୁ ଜଗିବା ଆଦି କାର୍ଯ୍ୟରେ ସହଯୋଗ କରିବେ।
ସୂଚନାଯୋଗ୍ୟ ଯେ ପୂର୍ବରୁ ଗଜସାଥୀ ନାମରେ ସ୍ଥାନୀୟ ଅଞ୍ଚଳର ଅଭିଜ୍ଞ ବ୍ୟକ୍ତିଙ୍କୁ ନିଆଯାଓଥିଲା। ହାତୀ ଓ ମଣିଷଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଏମାନଙ୍କୁ ନିୟୋଜିତ କରାଯାଇଥିଲା। କେବଳ ଧାନ ରୁଆ ସମୟରୁ ଅମଳ ପର୍ଯ୍ୟନ୍ତ ଏହା ଚାଲୁ ରହିଥିବା ବେଳେ ବାକି ସମୟରେ ଏମାନେ କାର୍ଯ୍ୟରୁ ବିରତ ରହୁଥିଲେ। ପ୍ରତି ବନାଞ୍ଚଳରେ ଥିବା ଗାଁଗୁଡ଼ିକରୁ ୫ ଜଣ ଲେଖାଏଁ ବ୍ୟକ୍ତି ୫ମାସ ପର୍ଯ୍ୟନ୍ତ ହାତୀ ଘଉଡ଼ାଇବାରେ ନିୟୋଜିତ ହେଉଥିଲେ। ଏମାନଙ୍କୁ ମାସକୁ ୧ ହଜାର ଟଙ୍କା ଲେଖାଏଁ ପାରିଶ୍ରମିକ ଦିଆଯାଉଥିଲା।















