ଅନୁଗୁଳ ଜିଲ୍ଲା ପରିଷଦର ୫୮ତମ ସାଧାରଣ ବୈଠକ: ‘ନିପୁଣ ଓଡ଼ିଶା’ କାର୍ଯ୍ୟକ୍ରମର ହେଲା ଶୁଭାରମ୍ଭ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦର ୫୮ତମ ସାଧାରଣ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ ଅବଦାଲ ମହମ୍ମଦ୍ ଅଖତରଙ୍କ ସହ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପାଳଲହଡା ବିଧାୟକ ଅଶୋକ ମହାନ୍ତି, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ସିଂହ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁଦିପ କୁମାର ଗଡନାୟକଙ୍କ ସମେତ ଜିଲ୍ଲା ପରିଷଦର ସଦସ୍ୟା ଓ ସଦସ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଓ ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ।

ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ ପୂର୍ବ ସଭାର ବିବରଣୀ ପାଠ କରିଥିଲେ। ବୈଠକରେ ପ୍ରଥମେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା। ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ବୀମା କାର୍ଡର କାର୍ଯ୍ୟକାରିତା ଓ ଅନୁବନ୍ଧିତ ବେସରକାରୀ ଡାକ୍ତରଖାନାର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ଉପରେ ଉପସ୍ଥିତ ସଭ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ। ଖୁବ୍ ଶୀଘ୍ର ଏକ ବୈଠକ ଡକାଯାଇ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ବୈଠକରେ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକାରିତାରେ ବିଳମ୍ବ ହୋଇଥିବାରୁ ଉପସ୍ଥିତ ସଭ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ସମ୍ପୃକ୍ତ ଅଧିକାରୀଙ୍କୁ ସମସ୍ତ କାର୍ଯ୍ୟ ତ୍ବରାନ୍ବିତ କରାଯିବା ନିମନ୍ତେ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନୂତନ ଭାବେ ନିଯୁକ୍ତ ୪୨୪ ଜଣ ପ୍ରାଥମିକ ଶିକ୍ଷକଙ୍କ ତାଲିକାକୁ ଏହି ବୈଠକରେ ଅନୁମୋଦନ କରାଯାଇଛି।

ଏ ଅବସରରେ ପ୍ରଥମରୁ ତୃତୀୟ ଶ୍ରେଣୀରେ ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ପ୍ରଣିତ ‘ନିପୁଣ ଓଡ଼ିଶା’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଥିଲା। ଶକ୍ତି ବିଭାଗର ଆଲୋଚନା କରାଯାଇ ବ୍ୟକ୍ତିଗତ ଜାଗାରେ ଥିବା ବିଦ୍ୟୁତ୍ ଖୁଣ୍ଟ ଓ ତାରକୁ ଖୁବ୍ ଶୀଘ୍ର ହଟାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ଜଳ ସମ୍ପଦ, ଜଙ୍ଗଲ, ଶିଶୁ ଓ ମହିଳା ବିକାଶ, ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, କୃଷି, ପ୍ରାଣୀ ସମ୍ପଦ, ଗ୍ରାମ୍ୟ ଗୃହ ନିର୍ମାଣ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଶିଶୁ ଓ ମହିଳା ବିକାଶ, ସାଧାରଣ ବଣ୍ଟନ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।
ଶେଷରେ ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

error: Content is protected !!