ଅନୁଗୁଳ: ସ୍ଥାନୀୟ କଦମ ପଡିଆ ଠାରେ ଆଜି ଅଷ୍ଟମ ମର୍ଣ୍ଣିଙ୍ଗ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଛି। ଆଠ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ମ୍ୟାଚରେ ହିନ୍ଦୋଳ ଏକାଦଶ ୱାରିଅର୍ କ୍ଲବ ଅନୁଗୁଳକୁ ପରାସ୍ତ କରିଛି।
ଅନୁଗୁଳ ଟସ୍ ଜିତି ହିନ୍ଦୋଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ହିନ୍ଦୋଳ ନିର୍ଦ୍ଧାରିତ ୧୫ ଓଭରରେ ସାତ ୱିକେଟ ହରାଇ ୧୭୭ ରନ କରିଥିଲା। ବିଘ୍ନ ୩୩ ବଲରେ ୧୦ଟି ଛକା ୮ଟି ଚଉକା ମାରି ୯୯ ରନ କରିଥିଲେ। ଏହାର ଜବାବରେ ଅନୁଗୁଳ ସାତ ୱିକେଟ ହରାଇ ୧୫୫ ରନ କରିବାକୁ ସକ୍ଷମ ହୋଇଥିଲା। ତେବେ ମ୍ୟାଚରେ ବିଘ୍ନଙ୍କୁ ମ୍ୟାନ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି।
ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଏବଂ ନଗରପାଳ ଅକ୍ଷୟ କୁମାର ସାମନ୍ତ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ମର୍ଣ୍ଣିଙ୍ଗ ଷ୍ଟାର କ୍ଲବର ସଭାପତି ମାୟାଧର ମିଶ୍ର ଓ ସମ୍ପାଦକ ରଞ୍ଜନ ଧିର ସାମନ୍ତ ଓ ଅନୁଗୁଳ କ୍ରିକେଟ ସଂଘର ମେମ୍ବର ସେକ୍ ରଫିକ୍, ପ୍ରଭାତ କୁମାର ସିହ୍ନା, ଅରୁନ ପୁଷ୍ପାଳୟ, ଧୀରେନ ସାମଲ, ସମରେନ୍ଦ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
ଆଜିର ଖେଳରେ ଜୟକୃଷ୍ଣ ରାଉତ ଓ ସଞ୍ଜୀବ ପାତ୍ର ଅମ୍ପାୟାର କାର୍ଯ୍ୟ କରିଥିଲେ। ଆସନ୍ତାକାଲି ଏକାମ୍ରକ୍ଷେତ୍ର, ଭୁବନେଶ୍ବର ସହ ଚାର୍ଜ ଏକାଦଶ କଟକର ଖେଳ ହେବ।