- ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଛକରେ ଥିବା ଆଇସିଆଇସିଆଇ ବ୍ୟାଙ୍କରୁ ଜଣେ ହିତାଧିକାରୀଙ୍କ ଠାରୁ ୯ ଲକ୍ଷରୁ ଅଧିକ ଟଙ୍କା ହଡପ ନେଇ ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରି ମାସରେ ଆଇସିଆଇସିଆଇ ବ୍ୟାଙ୍କ ଶାଖାର ଅଡିଟର ସ୍ୱପ୍ନା ପାଣିଗ୍ରାହୀ ଅଡିଟ କରୁଥିବା ବେଳେ ବ୍ୟାଙ୍କର ଲକରରେ ନିୟମିତ କାର୍ଯ୍ୟ ପାଇଁ ରଖାଯାଉଥିବା ନଗଦ ଟଙ୍କାରେ ୧ କୋଟି ୮୫ ଲକ୍ଷ ୫୦ ହଜାର ଟଙ୍କା କମଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ଆଞ୍ଚଳିକ ମୁଖ୍ୟ ଶାଖା ପରିଚାଳକ ଅତୁଲ୍ୟ ପାଟ୍ଟଯୋଶୀଙ୍କୁ ଜଣାଇଥିଲେ। ସେ ମଧ୍ୟ ଶାଖାରେ ପହଞ୍ଚି ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ ଯେ ୩୭,୧୦୦ ଖଣ୍ଡ ୫ ଶହ ଟଙ୍କା ଲକରରେ ନାହିଁ । ଏ ନେଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଛେଣ୍ଡିପଦା ଥାନାଧିକାରୀ ତଦନ୍ତ କରି ଦାୟିତ୍ୱରେ ଥିବା ଡେପୁଟି ବ୍ୟାଙ୍କ ମ୍ୟାନେଜର ଆକାଶ ଭାରତୀ ଓ ପୂର୍ବତନ ବ୍ୟାଙ୍କ କର୍ମଚାରୀ ଶୁଭାଶିଷକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
ତେବେ ବର୍ତ୍ତମାନ ପୁଣି ୯ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହଡପ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପିପଳବାହାଳ ଗ୍ରାମର ନିରାକାର ପ୍ରଧାନ ଜମିଅଧିଗ୍ରହଣରୁ ମିଳିଥିବା ଜମି ବିକ୍ରି ଟଙ୍କାକୁ ୨୦୧୮ ମସିହାରେ ଆଇସିଆଇସିଆଇ ବ୍ୟାଙ୍କରେ ତାଙ୍କ ନାମରେ ୪ଲକ୍ଷ ୧୦ହଜାର ଟଙ୍କା ଓ ତାଙ୍କ ସ୍ତ୍ରୀ ସୁରେଖା ପ୍ରଧାନଙ୍କ ନାମରେ ୫ଲକ୍ଷ ୭୦ ହଜାର ଟଙ୍କା ଜମା ରଖିଥିଲେ। ଏବେ ନିରାକାର ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଆସିଥିବା ବେଳେ ତୁମ ଖାତାରେ ଟଙ୍କା ନାହିଁ କହି ବ୍ୟାଙ୍କ କର୍ମଚାରୀ ଫେରାଇ ଦେଇଥିଲେ। ଏ ନେଇ ସେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏବେ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।