ଆଠମଲ୍ଲିକରେ ଗଠିତ ହେବ ସ୍ବତନ୍ତ୍ର ବିକାଶ ପରିଷଦ! ଅଧ୍ୟକ୍ଷ ପଦ ପାଇଁ ଏବେଠୁ ଆରମ୍ଭ ହେଲାଣି ଅଙ୍କ କଷା

You are currently viewing ଆଠମଲ୍ଲିକରେ ଗଠିତ ହେବ ସ୍ବତନ୍ତ୍ର ବିକାଶ ପରିଷଦ!  ଅଧ୍ୟକ୍ଷ ପଦ ପାଇଁ ଏବେଠୁ ଆରମ୍ଭ ହେଲାଣି ଅଙ୍କ କଷା

ଅନୁଗୁଳ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦିନ ଯେତିକି ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ସେତିକି ବଢ଼ି ଚାଲିଛି। ବିଜେଡି ପକ୍ଷରୁ ୫ଟି ସଚିବଙ୍କ ଘନ ଘନ ଗସ୍ତ ଓ ବିଜେପିର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଭା ସମିତି ଏସବୁକୁ ସ୍ପଷ୍ଟ କରିଛି।
ଅନୁଗୁଳ ଜିଲ୍ଲାରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ୟ ଠାରୁ ଅପେକ୍ଷାକୃତ ଅନୁନ୍ନତ ହେଲେ ମଧ୍ୟ ରାଜନୈତିକ ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ଵ ରଖେ। ଆଗରୁ ଏଠାରୁ କଂଗ୍ରେସର ଅମର ପ୍ରଧାନ, ବିଜେଡିର ନଗେନ୍ଦ୍ର ପ୍ରଧାନ ଓ ସଞ୍ଜୀବ ସାହୁ ମନ୍ତ୍ରୀ ପଦ ପାଇଥିଲେ।

ତାଙ୍କ ପରେ ନଳିନୀକାନ୍ତ ପ୍ରଧାନ ନିର୍ମାଣ ବିଭାଗର ସର୍ବୋଚ୍ଚ ପଦବୀରେ ରହି ଜିଲ୍ଲାର ବିକାଶ କରିଥିଲେ। ତାଙ୍କ ଉଦ୍ୟମରେ ଗତ ନିର୍ବାଚନରେ ରମେଶ ସାଏ ଚାକିରି ଛାଡ଼ି ରାଜନୀତିକୁ ଆସି ବିଧାୟକ ହୋଇ ପାରିଥିଲେ।
କିନ୍ତୁ ମଝିରେ ବିଭିନ୍ନ କଥାକୁ ନେଇ ସାଏ ଏବଂ ନଳିନୀ ଗୋଷ୍ଠୀ ମଧ୍ୟରେ ଦ୍ଵନ୍ଦ୍ୱ ସୃଷ୍ଟି ହେବା ପରେ ବିଜେଡି ଏଠି ଦୁଇ ଫାଳ ହୋଇଛି। ନିକଟରେ ଅନୁଗୁଳ ଜିଲ୍ଲା ପାଇଁ ବିଜେଡିର ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସଙ୍କ ଆଠମଲ୍ଲିକ ଗସ୍ତ ବେଳେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। କିନ୍ତୁ କୁନଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଏଭଳି ସ୍ଥିତିରେ ଆଠମଲ୍ଲିକରେ ଏକ ସ୍ବତନ୍ତ୍ର ବିକାଶ ପରିଷଦ ଗଠନ ହେବ ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ପର୍ଯ୍ୟାପ୍ତ ଟଙ୍କା ପରିଷଦକୁ ଯୋଗାଇ ଦିଆଯିବ। ଆଠମଲ୍ଲିକ ମଣ୍ଡଳୀରେ ଆଦିବାସୀ ଗଣ୍ଡ ସମାଜର ସିଂହ ଭାଗ ଭୂମିକା ରହିଥିବାରୁ ପରିଷଦ ଗଠନ ହେଲେ ଏ ଅଞ୍ଚଳର ବିକାଶ ହେବା ସହ ରାଜନୈତିକ ଭାବେ ମଧ୍ୟ ଭାରସାମ୍ୟ ରହିବ। କିନ୍ତୁ କିଏ ଏହାର ଅଧ୍ୟକ୍ଷ ହେବ ତାହା ଜଣାପଡ଼ିନାହିଁ। ଏଥିପାଇଁ ମଧ୍ୟ ଆଗକୁ ରାଜନୀତି ହୋଇପାରେ ବୋଲି ଆଲୋଚନା ହେଉଛି।

Share

Leave a Reply