ଅନୁଗୁଳ: ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା। ଅନୁଗୁଳ ଜିଲ୍ଲା ଶିଳ୍ପାଞ୍ଚଳ ନିଶା ଥାନା ଅନ୍ତର୍ଗତ ଗୋଳାବନ୍ଧ ଗାଁରେ ବିହାର ରାଜ୍ୟର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମୃତକ ହେଲେ ବିହାର ବେଗୁସରାଇ ଅଞ୍ଚଳର ମହମ୍ମଦ ଜୁଲାନି। ସେ ନିଶା ଥାନା ଅନ୍ତର୍ଗତ ଏକ ଘରୋଇ ଶିଳ୍ପାନୁଷ୍ଠାନରେ ଠିକା ଶ୍ରମିକ ଭାବେ କାମ କରୁଥିଲେ।
ସୂଚନା ମୁତାବକ, ମହମ୍ମଦ ଜୁଲାନି ଓ ତାଙ୍କର କିଛି ସମ୍ପର୍କୀୟ ଶୁକ୍ରବାର ଗୋଳାବନ୍ଧ ଗାଁରେ ଥିବା ଭଡ଼ା ଘରକୁ ଫେରୁଥିଲେ। ସେତେବେଳେ ସେହି ଗାଁର କିଛି ଯୁବକଙ୍କ ସହ କୌଣସି କଥାକୁ ନେଇ ତାଙ୍କର ବଚସା ହୋଇଥିଲା। ପରେ ସ୍ଥାନୀୟ ଯୁବକ ତାଙ୍କ ଘରେ ପହଞ୍ଚି ପୁଣିଥରେ ଗଣ୍ଡଗୋଳ କରିଥିଲେ। ସ୍ଥାନୀୟ ଯୁବକ ମହମ୍ମଦ ଜୁଲାନି ଓ ତାଙ୍କ ସମ୍ପର୍କୀୟଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଉତ୍ତ୍ୟକ୍ତ ଯୁବକଙ୍କ କବଳରୁ ଜୁଲାନିଙ୍କ ସମ୍ପର୍କୀୟ ଖସି ଆସିଥିବା ବେଳେ ଜୁଲାନି କିନ୍ତୁ ବର୍ତ୍ତିପାରିନଥିଲେ। ସେମାନେ ଜୁଲାନିଙ୍କୁ ପିଟିପିଟି ମାରି ଦେଇଥିଲେ। କିଛି ସମୟ ପରେ ଜୁଲାନିଙ୍କ ସମ୍ପର୍କୀୟମାନେ ଘରକୁ ଫେରିବା ବେଳକୁ ତାଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ଏ ନେଇ ମୃତକଙ୍କ ସମ୍ପର୍କୀୟ ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି।