ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଭରତପୁର କୋଇଲା ଖଣିରେ ଯେମିତି କାହା ନଜର ଲାଗିଯାଇଛି। ଖଣିରେ ବାରମ୍ବାର ବିଭିନ୍ନ ଦୁର୍ଘଟଣା ଘଟୁଛି।
ଆଜି ପୁଣି ଭରତପୁର କୋଇଲା ଖଣି ସାଇଲୋରେ ନିଆଁ ଲାଗି ବହୁ ମୂଲ୍ୟବାନ ଯନ୍ତ୍ରାଂଶ ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ସର୍ଟ ସର୍କିଟ ଯୋଗୁଁ ଏହି ସାଇଲୋ ବେଲ୍ଟରେ ନିଆଁ ଲାଗିଯାଇଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ କିନ୍ତୁ ଜଣାପଡ଼ିନାହିଁ।
ସୂଚନା ଅନୁସାରେ ଆଜି ସକାଳୁ ସାଇଲୋରେ ଲାଗିଥିବା ବେଲ୍ଟ ଯୋଗେ କୋଇଲା ପରିବହନ ହେଉଥିବା ବେଳେ ହଠାତ ବେଲ୍ଟରେ ନିଆଁ ଲାଗିଯାଇଥିଲା। ଫଳରେ ବେଲ୍ଟର ୫୦ରୁ ୬୦ ମିଟର ଜଳିଯାଇଥିଲା। ପରେ ଏମ୍ସିଏଲର ୪ ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାଯାଇଛି।
ପ୍ରକାଶ ଯେ ନିକଟରେ ଦୁଇ ଦୁଇ ଥର ମାଟି ଧସି ଭରତପୁର କୋଇଲା ଖଣିରେ ଅନେକ ମୂଲ୍ୟବାନ ଜୀବନ ଯାଇଥିବା ବେଳେ କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ନଷ୍ଟ ହୋଇଛି। ତା’ ପୂର୍ବରୁ କୋଇଲା ଗଦାରେ ନିଆଁ ଲାଗିବା ଯୋଗୁ ଖଣି ଚର୍ଚ୍ଚାକୁ ଆସିଥିଲା।