ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରତିଷ୍ଠାତା ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସମବାୟ ଆନ୍ଦୋଳନର ପୁରୋଧା ସ୍ବର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କର ଆଜି ଚତୁର୍ଦ୍ଦଶତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଛି। ଏ ଅବସରରେ ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ଶ୍ରାଦ୍ଧ ଅବସରରେ ପ୍ରଥମେ ଅନୁଗୁଳର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଓ ଶୈଳଶ୍ରୀକ୍ଷେତ୍ର ପ୍ରଭୁ ଜଗନ୍ନାଥଙ୍କ ଠାରେ ପୂଜାର୍ଚ୍ଚନା କରାଯାଇ ବିଜୁ ମୈଦାନ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।
ତା ପରେ ୨ ଟି ସ୍ଥାନରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ବଅଁରପାଳ କଲେଜ ଠାରେ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥଙ୍କ ନେତୃତ୍ୱରେ ଆୟୋଜିତ ଶିବିରକୁ ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଉଦଘାଟନ କରିଥିଲେ। ସେହିପରି ୱାର୍ଡ ନଂ ୬ ଆମ୍ବେଦକର ନଗର ଠାରେ କାଉନସିଲର ସୁଶୀଲ ମୁଖୀଙ୍କ ନେତୃତ୍ୱରେ ଆୟୋଜିତ ରକ୍ତଦାନ ଶିବିରକୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ନଗରପାଳ ଅକ୍ଷୟ ସାମନ୍ତ, କାଉନସିଲର ସୁକାନ୍ତି ଦାସ, ସଦାନନ୍ଦ ପଣ୍ଡା, ରଞ୍ଜିତ ମାଣ୍ଡୋଠିଆ, ତପନ ତ୍ରିପାଠୀ, ନଗର ବିଜେଡି ସଭାପତି ବୃନ୍ଦାବନ ସ୍ୱାଇଁ, ରାଜ୍ୟ ବିଜୁ ଯୁବ ଜନତା ଦଳ ଉପ-ସଭାପତି ସୁଜିତ ଦ୍ବିବେଦୀ, ସରୋଜ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
ଅପରାହ୍ନରେ ବନ୍ତଳା ଡାକ ବଙ୍ଗଳା ଠାରେ ବ୍ଲକ ବିଜେଡି ସଭାପତି ସରୋଜ ସାହୁଙ୍କ ନେତୃତ୍ୱ ଓ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆଙ୍କ ସଭାପତିତ୍ବରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ସଭାରେ ସରକାରୀ ଦଳ ମୁଖ୍ୟ ସଚେତକ ତଥା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଶାନ୍ତ ମୁଦୁଲି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ମୁକେଶ କୁମାର ପାଳ, ଢେଙ୍କାନାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ ନାଥ, ନଗରପାଳ ଅକ୍ଷୟ ସାମନ୍ତ, ଜିଲ୍ଲା ପରିଷଦ ସଦସ୍ୟ କାଜଲ ପଟ୍ଟନାୟକ, ରେବତୀ ନାଏକ, ପ୍ରିୟଦର୍ଶୀ ପଟ୍ଟନାୟକ, ଧ୍ରୁବ ଚରଣ ଦେହୁରୀ, ଗୋପାଳ ନାଏକ, ମୀରା ଗଡ଼ନାୟକ, ଛାତ୍ର ବିଜେଡି ସଭାପତି ରାଜୀବ ଲୋଚନ ଦାସ ଉପସ୍ଥିତ ଥିଲେ। ଆଜିର ରକ୍ତଦାନ ଶିବିରରେ ସର୍ବମୋଟ ୫୫୪ ୟୁନିଟ ରକ୍ତ ସଂଗୃହୀତ ହେଇଥିଲା।