ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଦ୍ଵାରା ସ୍ଥାନୀୟ ହୋଟେଲ ଲକ୍ଷ୍ମୀ ପ୍ରିମିୟମ୍ରେ ଏକ ବ୍ୟାଙ୍କିଙ୍ଗ କର୍ମଶାଳା ଆୟୋଜିତ ହୋଇଯାଇଛି। ଅନୁଷ୍ଠାନ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶୋକ କୁମାର ଜୈନ୍ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକାରୀ ସଂପାଦକ ସେକ୍ ରଫିକ୍ କର୍ମଶାଳାର ଉଦ୍ଦେଶ୍ୟ ବ୍ୟାଖ୍ୟା କରି ବ୍ୟାଙ୍କ ଓ ବ୍ୟବସାୟୀଙ୍କ ମଧ୍ୟରେ ସମନ୍ଵୟ ଏବଂ ନିୟମାବଳୀ ସଚେତନତା ଉପରେ ଆଲୋକପାତ କରିଥିଲେ।
ଏହି କର୍ମଶାଳାରେ ଅନୁଗୁଳର ବିଭିନ୍ନ ସରକାରୀ ଓ ବେସରକାରୀ ବ୍ୟାଙ୍କର ଅଧିକାରୀମାନେ ଯୋଗ ଦେଇ ନଗଦ ଜମା ଉପରେ ସରଚାର୍ଜ, ଋଣ ନବୀକରଣ, ଷ୍ଟକ୍ ଷ୍ଟେଟମେଣ୍ଟ ଜୋରିମାନା, ବୀମା ଆଦି ଜଟିଳ ପ୍ରଶ୍ନ ଉପରେ ରିଜର୍ଭ ବ୍ୟାଙ୍କର ନିୟମାବଳୀ ଓ ବ୍ୟାଙ୍କର କ୍ଷମତା ସଂପର୍କ ବିଷୟରେ ଆଲୋଚନା କରିଥିଲେ। ବ୍ୟାଙ୍କ ଅଧିକାରୀମାନେ ଗ୍ରାହକ ସଚେତନତା, ସୂଚନା ପ୍ରଦାନ ଏବଂ ଋଣ ଯୋଜନାରେ ପାରଦର୍ଶିତା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବ୍ୟବସାୟୀମାନଙ୍କୁ ସରଚାର୍ଜ ଓ ଜୋରିମାନା ସମ୍ପର୍କିତ ସ୍ପଷ୍ଟୀକରଣ ପାଇଁ ବ୍ୟାଙ୍କ ଅଧିକାରୀଙ୍କ ସହ ମୁକ୍ତ ଆଲୋଚନାର ପରାମର୍ଶ ଦିଆଯାଇଥିଲା।
ଅନୁଷ୍ଠାନର ଉପସଭାପତି ବିକ୍ରମ ଅଗ୍ରୱାଲ, ସାଧାରଣ ସଂପାଦକ ଅଶୋକ କୁମାର ମୋଦୀ, କୋଷାଧ୍ୟକ୍ଷ ବିକାଶ ପୋଦାର ପ୍ରମୁଖ ସଦସ୍ୟମାନେ ବ୍ୟବସାୟୀଙ୍କ ମୌଳିକ ସମସ୍ୟା ଉପସ୍ଥାପନ କରି କର୍ମଶାଳାକୁ ସଫଳ କରିଥିଲେ। ନୀଳାଚଳ ପ୍ରଧାନ, ଅତୁଲ ପାନସାରୀ, ହରଜିତ୍ ସିଂହ ବନସଲ, ସିଏ ପ୍ରଦୀପ ଝାଝେରିଆ ଓ ରାଜେଶ ସରାଫ୍ ପ୍ରମୁଖ ଉପସ୍ଥିତ ଥିଲେ।











