ଅତିରିକ୍ତ ଜିଲ୍ଲାପାଳଙ୍କୁ ମନ୍ଦିର ସମ୍ପାଦକଙ୍କ ନାଲି ଆଖି, ମନ୍ଦିରରେ ପ୍ରଶାସନର ଅଧିକାର ନାହିଁ କହିବା ସହ କଲେ ଦୁର୍ବ୍ୟବହାର

You are currently viewing ଅତିରିକ୍ତ ଜିଲ୍ଲାପାଳଙ୍କୁ ମନ୍ଦିର ସମ୍ପାଦକଙ୍କ ନାଲି ଆଖି, ମନ୍ଦିରରେ ପ୍ରଶାସନର ଅଧିକାର ନାହିଁ କହିବା ସହ କଲେ ଦୁର୍ବ୍ୟବହାର

ଅନୁଗୁଳ: ଅନୁଗୁଳ ମହୋତ୍ସବ ମଶାଲ ଶୋଭାଯାତ୍ରା ବେଳେ ଅଭାବନୀୟ ସ୍ଥିତି। କାର୍ଯ୍ୟକ୍ରମ ବେଳେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଓ ଜଗନ୍ନାଥ ମନ୍ଦିର ପରିଚାଳନା ସମିତିର ସମ୍ପାଦକଙ୍କ ମଧ୍ୟରେ ଉଚ୍ଚବାଚ ହୋଇଛି। ଅତିରିକ୍ତ ଜିଲ୍ଲାପାଳଙ୍କୁ ନାଲି ଆଖି ଦେଖାଇ ପ୍ରଶାସନର ମନ୍ଦିରରେ କୌଣସି ଅଧିକାର ନାହିଁ ବୋଲି ମନ୍ଦିର ପରିଚାଳନା ସମ୍ପାଦକ ଧମକ ଦେଇଥିବା ଜଣାଯାଇଛି। ତେବେ ମନ୍ଦିର ପରିଚାଳନା ସମିତିର ଏଭଳି ବ୍ୟବହାରକୁ ଅତିରିକ୍ତ ଜିଲ୍ଲାପାଳ ଦୃଢ଼ ବିରୋଧ କରିଥିଲେ।
ସୂଚନାଯୋଗ୍ୟ ଯେ ଆସନ୍ତା ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି ଅନୁଗୁଳ ମହୋତ୍ସବ। ଏଣୁ ଆଜି ଜିଲ୍ଲାର ଚାରି ଦୈବ ପୀଠ ଠାରୁ ଆସିଥିବା ମଶାଲ ତାଳଚେର ଗୋପାଳପ୍ରସାଦ ସ୍ଥିତ ମା’ ହିଙ୍ଗୁଳା ପୀଠରେ ଏକତ୍ରିତ ହୋଇ ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଠାରେ ସ୍ଥାପିତ ହୋଇଛି। ଏହି ମଶାଲ ଶୋଭାଯାତ୍ରା ଅନୁଗୁଳ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିଥିଲେ ମଧ୍ୟ ମନ୍ଦିର ପରିଚାଳନା ସମିତି ପକ୍ଷରୁ ସ୍ବାଗତରେ ଅବହେଳା ପ୍ରଦର୍ଶନକୁ ନେଇ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପରେ ଅତିରିକ୍ତ ଜିଲ୍ଲାପାଳ ଓ ମନ୍ଦିର ପରିଚାଳନା ସମିତିର ସମ୍ପାଦକ ହେମନ୍ତ ଦାଶଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ମନ୍ଦିର ସମ୍ପାଦକ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅତ୍ୟନ୍ତ ଖରାପ ବ୍ୟବହାର କରିବା ସହିତ ମନ୍ଦିର ସରକାର କିମ୍ବା ପ୍ରଶାସନର ନୁହେଁ ବୋଲି ଧମକ ମଧ୍ୟ ଦେବାକୁ ପଛାଇ ନଥିଲେ। ଏଥିରେ କ୍ଷୁବ୍ଧ ହୋଇ ଅତିରିକ୍ତ ଜିଲ୍ଲାପାଳ ନାଲି ଆଖି କାହାକୁ ଦେଖାଉଛନ୍ତି ବୋଲି କହିଥିଲେ। ସମସ୍ତ ପର୍ବପର୍ବାଣିରେ ପ୍ରଶାସନର ସହାୟତା ନିଆଯାଉଥିବା ବେଳେ ରଥଯାତ୍ରା ସମୟରେ ସମସ୍ତ ସରକାରୀ ବିଭାଗ ମାନଙ୍କର ସହଯୋଗ ମଧ୍ୟ ଦିଆଯାଉଛି। ତା’ ପରେ ବି ମନ୍ଦିର ସରକାରଙ୍କ ନୁହେଁ ବୋଲି ଆପଣ କିଭଳି କହୁଛନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶ୍ନ କରିଥିଲେ। ତେବେ ଜିଲ୍ଲାପାଳ ମନ୍ଦିର ପରିଚାଳନା ସମିତିର ସଭାପତି ଓ ଆରକ୍ଷୀ ଅଧୀକ୍ଷକ ଉପସଭାପତି ଦାୟିତ୍ବରେ ରହିଥିବା ବେଳେ ମନ୍ଦିର କାହା ଦାୟିତ୍ୱରେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

Share

Leave a Reply