ଅନୁଗୁଳ: ଭାରତୀୟ ସେନାରେ ବର୍ଷ ବର୍ଷ ଧରି ନିଷ୍ଠାର ସହିତ ସେବା ପ୍ରଦାନ କରି ରବିବାର ଅବସର ଗ୍ରହଣ କରି ଘରକୁ ଫେରିଥିବା ସେନାବୀର ନାଏବ ସୁବେଦାର ଅଭୟ ସାହୁଙ୍କୁ ଅନୁଗୁଳ ଡିଫେନସ ଭେଟରାନ ପକ୍ଷରୁ ଗରିମାମୟ ଓ ଭବ୍ୟ ସ୍ୱାଗତ ସମାରୋହ ଆୟୋଜିତ କରାଯାଇଥିଲା। ଏହି ଅବସରରେ ଅନୁଗୁଳ ରେଳୱେ ଷ୍ଟେସନରେ ସଂଗଠନର ସଭାପତି ଅନିଲ କୁମାର ମହାନ୍ତିଙ୍କ ନେତୃତ୍ୱରେ ସଂଗଠନର ସଦସ୍ୟବୃନ୍ଦ ଓ ଶ୍ରୀ ସାହୁଙ୍କ ପରିବାରବର୍ଗ ଉପସ୍ଥିତ ରହି ସେନାବୀର ଅଭୟଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ। ଏହା ପରେ ଅନୁଗୁଳ ସହର ମଧ୍ୟରେ ବଡ଼ ଆଡମ୍ବର ସହକାରେ ଅଭୟଙ୍କୁ ପରିକ୍ରମା କରାଯାଇଥିଲା, ଯାହାଫଳରେ ସାଧାରଣ ଲୋକମାନେ ମଧ୍ୟ ସେନାବୀରଙ୍କୁ ଶୁଭେଚ୍ଛା ଓ ସମ୍ମାନ ଜଣାଇଥିଲେ। ପରେ ସେ ନିଜ ଗାଁ ପଡ଼ାକୁ ଯାଇ ଗ୍ରାମବାସୀମାନଙ୍କ ସହ ମିଳିତ ହୋଇଥିଲେ ଏବଂ ନିଜ ମା’ଙ୍କ ଆଶୀର୍ବାଦ ଗ୍ରହଣ କରି ଭାବବିହ୍ୱଳ ହୋଇଥିଲେ।
ସଭାରେ ସଂଗଠନର ସଭାପତି ଅନିଲ କୁମାର ମହାନ୍ତି ଏବଂ ସାଥୀମାନେ ସେନାବୀରଙ୍କୁ ସମ୍ବର୍ଦ୍ଧିତ କରିବା ସହ ଦେଶ ପାଇଁ ସୀମାରେ ଲଢ଼ୁଥିବା ସୈନିକକୁ ଅନୁଗୁଳରେ ପ୍ରଥମ ଥର ପାଇଁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଗଲା ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମଟି ବିଜୟ ପତିଙ୍କ ନେତୃତ୍ୱରେ ସୁଚାରୁ ଓ ସଫଳତାର ସହିତ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସଂଗଠନର ସାଧାରଣ ସମ୍ପାଦକ ସୁଶାନ୍ତ ପ୍ରଧାନଙ୍କ ସହ ଜୟକୃଷ୍ଣ ନାଥ ଓ ଶ୍ରୀ ବଳିରାମ ସମସ୍ତ ଉପସ୍ଥିତ ସଦସ୍ୟ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।



