ଦୀର୍ଘ ଦିନର ଦାବି ପରେ ବାଗଡ଼ିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ପୂରଣ

You are currently viewing ଦୀର୍ଘ ଦିନର ଦାବି ପରେ ବାଗଡ଼ିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ପୂରଣ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଗଡ଼ିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଡାକ୍ତର ପଦବୀ ଆଜି ପୂରଣ ହୋଇଛି । ନୂତନ ଡାକ୍ତର ଭାବେ ଡା. ରାକେଶ ମିଶ୍ର କାର୍ଯ୍ୟରେ ଯୋଗଦାନ କରିଛନ୍ତି ।

ବାଗଡ଼ିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ବହୁ ବର୍ଷ ଧରି ଡାକ୍ତର ନଥିବାରୁ ରୋଗୀସେବାରେ ବ୍ୟାଘାତ ସୃଷ୍ଟି ହୋଇ ଜନ ଅସନ୍ତୋଷ ରହିଥିଲା । ଏହାପୂର୍ବରୁ ୨୦୨୦ ମାର୍ଚ୍ଚରେ ଡାକ୍ତର ତାପସ କୁମାର ତ୍ରିପାଠୀ ନିଯୁକ୍ତ ହୋଇଥିଲେ ମଧ୍ୟ ୨୦୨୩ ଅକ୍ଟୋବରରେ ଉଚ୍ଚଶିକ୍ଷା ପାଇଁ ଯିବା ପରେ ପୁଣି ଥରେ ପଦବୀ ଖାଲି ପଡ଼ିଥିଲା ।

ଛେଣ୍ଡିପଦା ବ୍ଲକର ୭ଟି ଗ୍ରାମ ପଞ୍ଚାୟତ ସମେତ ସୀମାନ୍ତ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଓ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ବହୁ ରୋଗୀ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି ।

ଡାକ୍ତର ନିଯୁକ୍ତି ସହିତ ବହୁ ପୁରାତନ ବାଗଡ଼ିଆ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ଖାଲି ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି । ଏନେଇ ସ୍ଥାନୀୟ ବୁଦ୍ଧିଜୀବୀମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଏବଂ ଜିଲ୍ଲା ପରିଷଦ ଯଶୋବନ୍ତ ପ୍ରସାଦ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପ୍ରଧାନଶିକ୍ଷକ ନିଯୁକ୍ତି ଦାବି କରିଛନ୍ତି ।

ଦୀର୍ଘ ଦିନର ଦାବି ପୂରଣ ହେବା ପରେ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି । ଡା. ମିଶ୍ରଙ୍କୁ ବାଗଡ଼ିଆ ପଞ୍ଚାୟତ ବିଜେପି ସଭାପତି ବିଶେଶ୍ୱର ସାହୁଙ୍କ ସମେତ ଶତାଧିକ ଗ୍ରାମବାସୀ ସ୍ୱାଗତ ଜଣାଇଥିଲେ । ଡା. ମିଶ୍ର ଉତ୍ତମ ସେବା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଗ୍ରାମବାସୀ ମଧ୍ୟ ତାଙ୍କୁ ଆବଶ୍ୟକ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Share

Leave a Reply