କୋଶଳା ପରେ ଏବେ ତେନ୍ତୁଲୋଇରେ ଆନ୍ଦୋଳନର ନିଆଁ: ବେଆଇନ କୋଇଲା ପରିବହନ ବିରୋଧରେ ଗର୍ଜିଲେ ସଚେତନ ଗ୍ରାମବାସୀ

You are currently viewing କୋଶଳା ପରେ ଏବେ ତେନ୍ତୁଲୋଇରେ ଆନ୍ଦୋଳନର ନିଆଁ: ବେଆଇନ କୋଇଲା ପରିବହନ ବିରୋଧରେ ଗର୍ଜିଲେ ସଚେତନ ଗ୍ରାମବାସୀ

​ଅନୁଗୁଳ: କୋଶଳା ଅଞ୍ଚଳରେ ଚାଲିଥିବା ଜନଆନ୍ଦୋଳନର ପ୍ରଭାବ ଏବେ ପଡ଼ୋଶୀ ଗ୍ରାମଗୁଡ଼ିକରେ ଦେଖିବାକୁ ମିଳିଛି। କୋଇଲା ପରିବହନ ଜନିତ ସମସ୍ୟା ଓ କମ୍ପାନୀର ଏକଛତ୍ରବାଦୀ ନୀତି ବିରୋଧରେ ଏବେ ତେନ୍ତୁଲୋଇ ଗ୍ରାମବାସୀ ସଂଗ୍ରାମ ପାଇଁ ସଜବାଜ ହୋଇଛନ୍ତି। ବେଆଇନ ଭାବେ ଗ୍ରାମ୍ୟ ରାସ୍ତା ଦେଇ କୋଇଲା ପରିବହନକୁ ରୋକିବା ପାଇଁ ଶତାଧିକ ଗ୍ରାମବାସୀ ଏକଜୁଟ ହୋଇ ପ୍ରଶାସନ ଓ ସମ୍ପୃକ୍ତ କମ୍ପାନୀକୁ ଖୋଲା ଚେତାବନୀ ଦେଇଛନ୍ତି।
​ତେନ୍ତୁଲୋଇ କୋଡ଼ା ସାହିସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା’ କନକ ଦୁର୍ଗାଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ଏକ ବିଶାଳ ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏକତ୍ରିତ ହୋଇ ନିଜର ଭିଟାମାଟି ଓ ପରିବେଶକୁ ବଞ୍ଚାଇବା ପାଇଁ ହାତରେ ହାତ ମିଶାଇ ଏକ ମହାଶପଥ ନେଇଛନ୍ତି। ଗ୍ରାମର ସ୍ୱାର୍ଥ ରକ୍ଷା ଏବଂ ପ୍ରଦୂଷଣମୁକ୍ତ ପରିବେଶ ପାଇଁ ସେମାନେ ଆଗାମୀ ଦିନରେ କମ୍ପାନୀ ସହିତ କୌଣସି ପ୍ରକାର ସାଲିସ କରିବେ ନାହିଁ ବୋଲି ସ୍ପଷ୍ଟ କରିବା ସହ ଏହି ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଓ ଅହିଂସା ଉପାୟରେ ଜାରି ରହିବ ବୋଲି ହୁଙ୍କାର ଦେଇଛନ୍ତି।
​ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, କୋଇଲା କମ୍ପାନୀ ନିଜର ମନମାନୀ ଚଳାଇ ଗ୍ରାମ୍ୟ ରାସ୍ତା ଦେଇ ବେଆଇନ ଭାବେ କୋଇଲା ପରିବହନ କରିବାକୁ ଯୋଜନା କରୁଛି। ଯଦି ଏହି ପରିବହନ କାର୍ଯ୍ୟ ଆରମ୍ଭ ହୁଏ, ତେବେ ଧୂଳି ଓ ଧୂଆଁରେ ସମଗ୍ର ଅଞ୍ଚଳର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବ। ଏହି ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ତେନ୍ତୁଲୋଇବାସୀ ଦୃଢ଼ ଦାବି କରିଛନ୍ତି ଯେ, କମ୍ପାନୀ କୋଇଲା ପରିବହନ ପାଇଁ ତୁରନ୍ତ ସ୍ୱତନ୍ତ୍ର ବାଇପାସ୍ ରୋଡ୍ ନିର୍ମାଣ କରୁ କିମ୍ବା କନଭେୟର ମାଧ୍ୟମରେ କୋଇଲା ପ୍ରେରଣ ପାଇଁ ବ୍ୟବସ୍ଥା କରୁ।
​କମ୍ପାନୀ ଯଦି ନିଜର ଜିଦ୍‌ରେ ଅଟଳ ରହି ଜୋର-ଜବରଦସ୍ତି ଗ୍ରାମ୍ୟ ରାସ୍ତା ଦେଇ ଗାଡ଼ି ଚଳାଇବାକୁ ଚେଷ୍ଟା କରେ, ତେବେ କେବଳ ତେନ୍ତୁଲୋଇ ନୁହେଁ, ବରଂ ଆଖପାଖର ସମସ୍ତ ଗ୍ରାମବାସୀଙ୍କୁ ଏକାଠି କରି ଏହି ଆନ୍ଦୋଳନକୁ ଏକ ବ୍ୟାପକ ରୂପ ଦିଆଯିବ। ଜନଶକ୍ତିର ଏହି ଗର୍ଜନ ଆଗରେ କମ୍ପାନୀ ଓ ସ୍ଥାନୀୟ ପ୍ରଶାସନ ଏବେ କି ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।

Share

Leave a Reply