ଅନୁଗୁଳ: ୨୬ ଦଫା ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏ.ଆଇ.ୟୁ.ଟି.ୟୁ.ସି. ସର୍ବଭାରତୀୟ କମିଟି ଆହ୍ଵାନରେ ୧୧ରୁ ୧୭ ତାରିଖ ଯାଏଁ ଦାବି ସପ୍ତାହ ପାଳିତ ହେଉଛି। ଏହି ଉପଲକ୍ଷେ ଆଜି ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଶ୍ରମିକମାନେ ଧାରଣା ଦେଇଥିଲେ।ଏ.ଆଇ.ୟୁ.ଟି.ୟୁ.ସି. ଅନୁଗୁଳ ଜିଲ୍ଲା କମିଟି ସଭାପତି ପ୍ରହଲ୍ଲାଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ବିଭିନ୍ନ ଶ୍ରମିକ ବିରୋଧୀ ନିୟମକୁ ତୀବ୍ର ବିରୋଧ କରାଯାଇଥିଲା। ଶ୍ରମିକଙ୍କ ଦାବିଗୁଡ଼ିକ ହେଉଛି, ଶ୍ରମିକ-କର୍ମଚାରୀ ବିରୋଧୀ ୪ଟି ଶ୍ରମକୋଡ୍ ଓ ଅନ୍ୟାନ୍ୟ କଳା ଆଇନ୍ଗୁଡିକୁ ପ୍ରତ୍ୟାହାର କରିବା, ପ୍ରଚଳିତ ସମସ୍ତ ଶ୍ରମ ଆଇନଗୁଡିକୁ କଡାକଡି ଭାବେ ଲାଗୁକରିବା, ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୮ ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି ପ୍ରସ୍ତାବ ବାତିଲ କରିବା, କାମ କରିବାର ଅଧିକାରକୁ ସାମ୍ବିଧାନିକ ମୌଳିକ ଅଧିକାର ଭାବେ ସ୍ୱୀକୃତି ଦେବା, ସମସ୍ତ ବେକାର ଯୁବକ-ଯୁବତୀଙ୍କୁ ସ୍ଥାୟୀ ଭିତ୍ତିରେ ନିଯୁକ୍ତି ପ୍ରଦାନ କରିବା, ନାଲକୋ, ଏନ୍.ଟି.ପି.ସି., ଏମ୍.ସି.ଏଲ୍. ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ସମାନ କାମ ପାଇଁ ସମାନ ମଜୁରୀ, ସ୍ଥାୟୀ କାମରେ ନିଯୁକ୍ତ ଠିକା ଶ୍ରମିକ ଓ ଆଉଟସୋର୍ସିଙ୍ଗ ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ମଧ୍ୟାହ୍ନ ଭୋଜନ ପାଚିକା-ସହାୟିକା, ଆଶା, ଅଙ୍ଗନୱାଡି କର୍ମୀ-ସହାୟକଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ମାସିକ ସର୍ବନିମ୍ନ ମଜୁରୀ ୨୮ହଜାର ଟଙ୍କା ନିର୍ଦ୍ଧାରଣ କରିବା, ସମସ୍ତ ସ୍ତରର ଶ୍ରମିକ କର୍ମଋରୀଙ୍କ ପାଇଁ ପୁରୁଣା ପେନ୍ସନ୍ ସ୍କିମ୍ ପ୍ରଚଳନ କରିବା,ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ବିଦ୍ୟୁତ୍ ସେବା ଭଳି ଅତ୍ୟାବଶ୍ୟକ ସେବା କ୍ଷେତ୍ରର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା, ପରିବେଶ ପ୍ରଦୂଷଣକୁ ବନ୍ଦ କରିବା ପାଇଁ ପ୍ରୟୋଜନୀୟ କଠୋର ପଦକ୍ଷେପ ଗ୍ରହଣ କରିବା ପ୍ରଭୃତି ଦାବି ରହିଛି। ଧାରଣାସ୍ଥଳରୁ ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରମିକ କର୍ମଚାରୀମାନଙ୍କ ୨୬ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସଭାରେ ଏ.ଆଇ.ୟୁ.ଟି.ୟୁ.ସି ରାଜ୍ୟ ସମ୍ପାଦକ ଜୟସେନ୍ ମେହେରା, ଜିଲ୍ଲା ସମ୍ପାଦକ ବ୍ରଜବନ୍ଧୁ ସାହୁ, ସମ୍ପାଦକ ମଣ୍ଡଳୀ ସଭ୍ୟ ତୀର୍ଥଭାସୀ ଭୋଇ, ଟୁନା ନାଏକ, ଏ.ଆଇ.ୟୁ.ଟି.ୟୁ.ସି. ଜିଲ୍ଲା ସମ୍ପାଦକମଣ୍ଡଳୀ ସଭ୍ୟ ଦୁଃଖଶ୍ୟାମ ମଲ୍ଲିକ, ପ୍ରତାପ ପ୍ରଧାନ, ପ୍ରତାପ ଚନ୍ଦ୍ର ସାହୁ, ହେମନ୍ତ କ୍ଷେତ୍ରି, ସିଲୁ ଧଳ, ବୁଲି ବାରିକ, ଶୁକଦେବ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।