ଅନୁଗୁଳ: ଏନ୍ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ୍ ବନ୍ଦ ହୋଇଯିବା ପରେ ଛଟେଇ ହୋଇଥିବା ୮୮୯ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ମିଳିବ ବୋଲି ଶୁକ୍ରବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ବ୍ରଜ କିଶୋର ପ୍ରଧାନ, ଏନ୍ଟିପିସି ଜିଜିଏମ୍ ଧୀରେନ୍ଦ୍ର ନାରାୟଣ ତିୱାରୀ ପ୍ରମୁଖ ଯୋଗଦେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦିଆଯିବା ସଙ୍ଗେ ସଙ୍ଗେ ପ୍ଲାଣ୍ଟକୁ ଯିବା ପାଇଁ ଗେଟ୍ପାସ୍ ବ୍ୟବସ୍ଥା ଖୁବ୍ଶୀଘ୍ର କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନେଇଛନ୍ତି। ସାଂସଦ ଶ୍ରୀ ସାହୁ ଏନ୍ଟିପିସି ପକ୍ଷରୁ ଥର୍ମାଲ୍ର ନୂଆ ପ୍ଲାଣ୍ଟ ଓ ଷ୍ଟେଜ୍-୩ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟକୁ ଯେପରି ତ୍ବରାନ୍ବିତ କରାଯାଇପାରିବ ସେ ଦିଗରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ପରାମର୍ଶ ଦେଇଥିଲା ବେଳେ ନୂଆ ପ୍ଲାଣ୍ଟ ନହେବା ପର୍ଯ୍ୟନ୍ତ ପ୍ରତି ମାସର ଦରମା ପ୍ରଦାନ କରାଯିବାକୁ ଦାବି କରିଥିଲେ। ତେବେ ନୂତନ ପ୍ଳାଣ୍ଟ ପ୍ରତିଷ୍ଠା କାର୍ଯ୍ୟର ଅଗ୍ରଗତି ବିଷୟରେ ଥର୍ମାଲ୍ କର୍ତ୍ତୃପକ୍ଷ ଶୀଘ୍ର ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଏନ୍ପିସିର ଅତିରିକ୍ତ ମାନବ ସମ୍ବଳ ମହାପ୍ରବନ୍ଧକ ଚରଣଜିତ୍, ଥର୍ମାଲ୍ ଶ୍ରମିକ ଏକତା ମଞ୍ଚର ପ୍ରଦୀପ ସାମଲ, ସରୋଜ ନାଥ, ନିନୋଭାନନ୍ଦ ତ୍ରିପାଠୀ, ଶ୍ରବଣ ସାମଲ ପ୍ରମୁଖ ଯୋଗଦେଇଥିଲେ।
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ
- Post published:May 1, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul