ଅନୁଗୁଳ: ବାହାଘର ଦିନ କନ୍ୟା ଫେରାର। ଶିଶୁପାଳ ହୋଇ ଫେରିଲା ବର। ଆଜି ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମ ଗୋଛାୟତ ସାହିରେ ଏଭଳି ଅପ୍ରୀତିକର ଘଟଣା ସାମ୍ନାକୁ ଆସିଛି।
ସୂଚନା ମୁତାବକ, ଅନୁଗୁଳ ଥାନା ମରାତିରା ଗ୍ରାମର ରାହୁଲ ଗୋଛାୟତ (୨୪)ଙ୍କ ବାହାଘର ପ୍ରସ୍ତୁତି ସରିଥିଲା। ବର ବି ବର ଯାତ୍ରୀ ସହ ଅଧା ବାଟରେ ପହଞ୍ଚିସାରିଥିଲା। କିନ୍ତୁ ଖବର ମିଳିଲା କନ୍ୟା ଘରେ ନାହିଁ। ଏହି କଥା ଶୁଣିବା ପରେ ମୁହୂର୍ତ୍ତକରେ ସବୁ ମଜା ପାଣି ଫାଟିଯାଇଥିଲା। ଏହାକୁ ନେଇ ବର ପକ୍ଷରୁ ଥାନା ରେ ଅଭିଯୋଗ କରାଯାଇଥିଲା ଓ ବିବାହ ପ୍ରସ୍ତୁତିରେ ଖର୍ଚ୍ଚ ହୋଇଥିବା କ୍ଷତିପୂରଣ ମଗାଯାଇଥିଲା।
ଅନ୍ୟପଟେ କନ୍ୟାର ବାପା ନରେଶ ବେହେରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ତାଙ୍କର ବଡ ଝିଅ ମୁସ୍କାନ ବେହେରା (୧୯) ଅପରାହ୍ନରେ ଘରୁ ଯାଇ ଆଉ ଫେରିନି। ବହୁ ଖୋଜାଖୋଜି ପରେ ବି ଝିଅ ନ ମିଳିବାରୁ ସେମାନେ ଥାନାର ସହାୟତା ଲୋଡ଼ିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଆପୋଷ ସମାଧାନ ନିମନ୍ତେ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଚାଲିଥିବା ଜଣାଯାଇଛି।