ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆରେ ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନ ଓ ମର୍ଣ୍ଣିଙ୍ଗ ଷ୍ଟାର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ଅନୁଗୁଳ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ ଆୟୋଜିତ ହୋଇଛି। ପ୍ରଥମ ମ୍ୟାଚ୍ କଟକର ରାଇଜିଙ୍ଗ ଷ୍ଟାର ଓ ୟୁନିଅନ ସ୍ପୋର୍ଟିଂ ମଧ୍ୟରେ ଅନୁଷ୍ଠିତ ହେଇଥିଲା। ଟସ୍ ହାରି କଟକର ୟୁନିଅନ ସ୍ପୋର୍ଟିଂ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୮ ଓଭରରେ ୧୧୭ ରନ କରିଥିଲା। ଦଳ ପକ୍ଷରୁ ରିଷି ମେହେର ୬ଟି ଚୌକା ସାହାଯ୍ୟରେ ସର୍ବାଧିକ ୩୨ ରନ ଓ ବିଶ୍ୱଜିତ ୨୭ ରନ କରିଥିଲେ। ରାଇଜିଙ୍ଗ ଷ୍ଟୁଡେଣ୍ଟର ବୋଲର ସୂର୍ଯ୍ୟକାନ୍ତ, ବିପ୍ଳବ ଓ ଓମପ୍ରକାଶ ଦୁଇଟି ଲେଖାଏଁ ଉଇକେଟ ଅକ୍ତିଆର କରି ଥିଲେ।
ଅନ୍ୟପକ୍ଷରେ ରାଇଜିଂ ଷ୍ଟୁଡେଣ୍ଟ ଦଳ ୧୬.୧ ଓଭରରେ ମାତ୍ର ୪ ଉଇକେଟ ବିନିମୟରେ ନିର୍ଦ୍ଧାରିତ ବିଜୟ ଲକ୍ଷ୍ୟ ୧୧୮ ରନ ହାସଲ କରିଥିଲେ। ଦଳ ପକ୍ଷରୁ ସୌମ୍ୟ ରଞ୍ଜନ ବିଶ୍ୱାଳ ୫୩ ରନ କରି ଅପରାଜିତ ରହିଥିଲେ।
ପ୍ରଥମ ସେମିଫାଇନାଲର ଶ୍ରେଷ୍ଠ ଖେଳାଳି ରାଇଜିଙ୍ଗ ଷ୍ଟୁଡେଣ୍ଟ ଦଳର ସୌମ୍ୟ ରଞ୍ଜନ ବିଶ୍ୱାଳଙ୍କୁ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ପୁରସ୍କୃତ କରିଥିଲେ। ପ୍ରଥମ ସେମିଫାଇନାଲକୁ ଓଡ଼ିଶା କ୍ରିକେଟ ଆସୋସିଏସନର ପ୍ୟାନେଲ ଅମ୍ପାୟାର ଜୟକୃଷ୍ଣ ରାଉତ ଓ ଆଶୁତୋଷ ପାଣି ଖେଳ ପରିଚାଳନା କରି ଥିଲେ।
ଆଜିର ଦ୍ୱିତୀୟ ସେମିଫାଇନାଲ ସମ୍ବଲପୁର କ୍ଲବ ଓ ଭୁବନେଶ୍ୱରର ବାପୁଜୀ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱରର ବାପୁଜୀ କ୍ଲବ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୨୨ ରନ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ରାକେଶ ପଟ୍ଟନାୟକ ୪୨ ଟି ବଲରେ ୩ ଟି ଚୌକା ଓ ୨ଟି ଛକା ସାହାଯ୍ୟରେ ସର୍ବାଧିକ ୪୫ ରନ ସଂଗ୍ରହ କରିଥିଲେ। ସମ୍ବଲପୁରର ବୋଲର ଦେବବ୍ରତ ପ୍ରଧାନ ୩ ଟି ଉଇକେଟ ଅକ୍ତିଆର କରିଥିଲେ।
ସେହିପରି ସମ୍ବଲପୁର ଦଳ ୧୩.୨ ଓଭରରେ ୨ ଉଇକେଟ ହରାଇ ବିଜୟ ହାସଲ କରିଥିଲେ। ସମ୍ବଲପୁର ଦଳର ଖେଳାଳି ରବି ଯାଦବଙ୍କୁ ପୁରସ୍କୃତ କରାଯାଇଥିଲା। ଦ୍ୱିତୀୟ ସେମିଫାଇନାଲକୁ ଅମ୍ପାୟାର ତାପସ ମହାନ୍ତି ଓ ମହେଶ ମୁନସୀ ଖେଳ ପରିଚାଳନା କରିଥିଲେ।
ଆସନ୍ତାକାଲିର ଗ୍ରାଣ୍ଡ ଫିନାଲେ କଟକର ରାଇଜିଙ୍ଗ ଷ୍ଟୁଡେଣ୍ଟ ଓ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି।