ପୌର ପ୍ରଶାସନ ର ଅପାରଗତା,ଡେଲି ମାର୍କେଟରେ ଅଗ୍ନିକାଣ୍ଡ: ପୋଡ଼ିଗଲା ୧୫ ଲକ୍ଷ ଟଙ୍କାର ପରିବା

0

ଅନୁଗୁଳ: ଆଜି ଦିନ ପ୍ରାୟ ସାଢେ଼ ଏଗାର ଟା ସମୟରେ ଅନୁଗୁଳ ଡେଲି ମାର୍କେଟରେ ହଠାତ୍ ନିଆଁ ଲାଗିଥିଲା। ନିଆଁ ଓ କଳା ଧୂଆଁ ଏପରି ଛାୟି ଯାଇଥିଲା ଜେ ଲୋକମାନେ ପାଖ ମେଡ଼ିକାଲ ଏନ୍‌ଆର୍‌ସି ବିଲଡିଂରେ ନିଆଁ ଲାଗିଥିବା ଭାବି ଧାଁ ଦୌଡ଼ ଆରମ୍ଭ କରି ଦେଇଥିଲେ।

ଖବର ପାଇ ଦମକଳ‌ ବିଭାଗର ନିଆଁ ଲିଭାଳି ମାନେ ଆସି ହୁହୁ ଜଳୁ ଥିବା ପ୍ରାୟ ୩୦ ଟି ଦୋକାନକୁ ଲିଭାଇବାର ଉଦ୍ୟମ କରିଥିଲେ।ଡେଲି ମାର୍କେଟର ସମ୍ମୁଖ ଭାଗରେ କାଳୀ ପୂଜା କରାଯାଉଥିବାରୁ ମେଡ଼ିକାଲ ପଛ ପାଚେରୀ ଦେଇ ଲିଭାଳୀ ମାନେ ମାର୍କେଟ ଭିତରକୁ ପଶିଥିଲା। ଡେଲି ମାର୍କେଟରେ ଘଟିଥିବା ଏହି ଅଗ୍ନିକାଣ୍ଡ ରେ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଆଳୁ,ପିଆଜ,ରସୁଣ, ଅଦା ଆଦି ପୋଡ଼ି ଯାଇଥିବା ଜଣା ପଡ଼ିଛି।

ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଡେଲି ମାର୍କେଟର ପଛ ପଟେ ପ୍ରାୟ ୫୦ ଟି ସେଡ ତିଆରି ହୋଇଛି। ଏହି ସେଡରେ ପରିବା ବ୍ୟବସାୟୀ ମାନେ ପରିବା ବିକୁଥିଲେ ତେବେ ତେବେ ପୌରପାଳିକାର ସାମନା ପଟ ଆବୁଡା ଖାବୁଡ଼ା ଏବଂ ପାଣି ଜମି ରହୁଥିବାରୁ ଗ୍ରାହକ ମାନେ ଆଉ ଭିତରକୁ ପରିବା କିଣିବାକୁ ଗଲେ ନାହିଁ। ପୂର୍ବ ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଏହି ସେଡର ଆଲଟମେଣ୍ଟକୁ ଖାରଜ କରି ଦେଇଥିଲେ।

ଏହାପରେ ଅଫିସର ଜଣେ ଅସାଧୁ କର୍ମଚାରୀ ଏହି ସେଡ ଗୁଡ଼ିକୁ ଗୋଦାମ କରିବାପାଇଁ କିଛି ବ୍ୟବସାୟୀଙ୍କୁ ଦେଇ ମୋଟା ଅଙ୍କର ଟଙ୍କା ବର୍ଷବର୍ଷ ଧରି ନେଇ ଆସୁଥିଲେ। ଏହି ବେଆଇନ କାରବାର ପୌରପାଳିକା ଜ୍ଞାତ ସାରରେ ହେଉଥିଲା କି ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହେଇଛି। ସେଡ଼ରେ କଳା ଜରି ଓ ତାଟି ଘେରାଇ ତା ଭିତରେ ମାଲ୍ ରଖା ଯାଉଥିଲା।

କିଛି ସେଡରେ ଗୋଦାମ ଶ୍ରମିକ ମଧ୍ୟ ନିୟମିତ ରହୁଥିଲେ ଆଜି ରବିବାର ଯୋଗୁଁ ସେଡରେ କିଛି ଶ୍ରମିକ ଗ୍ୟାସ ଚୁଲାରେ ରୋଷେଇ କରୁଥିବା ବେଳେ ହଠାତ୍ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା। ଶ୍ରମିକ ମାନେ ଭୟରେ
ସେଡରୁ ପଳାଇ ଥିଲେ ମଧ୍ୟ ନିଆଁ ପାଖ ସେଡକୁ ବ୍ୟାପି ଯାଇଥିଲା।

ଏବେ ସେଠାରେ ବେଆଇନ ଭାବେ ଗୋଦାମ କରିଥିବା ଦୋକାନୀ ଘଟଣାକୁ ଭିନ୍ନ ରୂପ ଦେବା ପାଇଁ ସର୍ଟ ସର୍କିଟ ବା ଅଳିଆ ଗଦାରୁ ନିଆଁ ଲାଗି ଥିବା ପ୍ରଚାର ଆରମ୍ଭକରି ଦେଇଥିଲେ। ପ୍ରଶ୍ନ ଉଠୁଛି କିଏ ସେହି କର୍ମଚାରୀ ଯିଏ କି ଆଜକୁ ପ୍ରାୟ ଆଠ,ଦଶ ବର୍ଷ ଧରି ଗୋଦାମ କରିଥିବା ପରିବା ଦୋକାନୀଙ୍କ ଠାରୁ ବଟି ଆଦାୟ କରୁଥିଲେ। ଏହା ମଧ୍ୟ ଜଣା ପଡ଼ିଛି ମାର୍କେଟର ଉକ୍ତ ଏରିଆରୁ ମାତ୍ର ତିନି ଜଣ ହଟୁଲି ଟିକସ ଦେଉଛନ୍ତି ବାକି ମାନେ କିଛି ଦେଉନାହାନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ପରିଷଦର ମିଟିଂ ପରେ ମିଟିଂ ହେଉଛି କିନ୍ତୁ ନା ଅଧିକାରୀ ନା ଅଧ୍ୟକ୍ଷ ଏଥି ପ୍ରତି ଧ୍ୟାନ ଦେଉଛନ୍ତି। ପୌରପାଳିକାର ଏତେ ବଡ଼ ଏରିଆ ବ୍ୟବହାର ନହେଇ ପଡ଼ିଥିବା ବେଳେ ସହର ବିକାଶ କେଉଁ ଆଡ଼କୁ ଯାଉଛି ତାହା ଜଳଜଳ ଦିଶୁଛି। ଆଜିର ଅଗ୍ନିକାଣ୍ଡ ପୋରପାଳିକାର ବେଆଇନ କାରବାର ନେଇ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ଡେଲି ମାର୍କେଟର ମରାମତି କାହିଁ କି ହେଉ ନାହିଁ ତାହା ବୁଝା ପଡୁନାହିଁ।

ଅଗ୍ନିକାଣ୍ଡରେ ପରିବା ବ୍ୟତୀତ ଗୋଟିଏ ବାଇକ୍, ଟ୍ରଲି ରିକ୍ସା ଦୁଇଟି ଏବଂ ଦୁଇଟି ସିଲିଣ୍ଡର ଫାଟି ଥିବା ଜଣା ପଡ଼ିଛି। ପୌର କର୍ତୃପକ୍ଷ ଏହାର ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି। ଆଜି ରବିବାର ଥିବାରୁ ଏ ସମ୍ପର୍କରେ କୌଣସି ପୌର ଅଧିକାରୀଙ୍କ ମତାମତ ମିଳିପାରି ନାହିଁ

Leave A Reply

Your email address will not be published.

error: Content is protected !!