ଅନୁଗୁଳ: NCERT ପାଠ୍ୟପୁସ୍ତକ ବିବାଦ ଏବଂ ପରୀକ୍ଷା ସମୟରେ ସଭାସ୍ଥଳରେ ଶବ୍ଦ ପ୍ରଦୂଷଣକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୈତିକତା ଦୃଷ୍ଟିରୁ ଇସ୍ତଫା ଦାବି କରିଛି ଅନୁଗୁଳ ଜିଲ୍ଲା କଂଗ୍ରେସ। ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନ ଅଭିଯୋଗ କରିଛନ୍ତି ଯେ, NCERT ପୁସ୍ତକରେ ନ୍ୟାୟପାଳିକାକୁ ଅସମ୍ମାନ କରାଯାଇଥିବା ବେଳେ ମନ୍ତ୍ରୀ ଏଥିରୁ ନିଜ ଦୋଷ ଖସାଇବାକୁ ଚେଷ୍ଟା କରୁଛନ୍ତି।
ଅନ୍ୟପଟେ, ଶନିବାର ଅନୁଗୁଳ ବିଜୁ ମଇଦାନରେ ଆୟୋଜିତ ଏକ ସଭାରେ ମନ୍ତ୍ରୀ ଯୋଗ ଦେଇଥିବା ବେଳେ ନିକଟସ୍ଥ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲିଥିଲା। ସଭାସ୍ଥଳରେ ଡାକବାଜି ଯନ୍ତ୍ର ଓ ବାଣର କର୍କଶ ଶବ୍ଦ ଯୋଗୁଁ ପରୀକ୍ଷାର୍ଥୀମାନେ ଏକାଗ୍ରତା ହରାଇ ଅସମ୍ପୂର୍ଣ୍ଣ ଖାତା ଜମା କରିବାକୁ ବାଧ୍ୟ ହୋଇଥିଲେ। ଜଣେ ଶିକ୍ଷା ମନ୍ତ୍ରୀ ହୋଇ ମଧ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ଉଦାସୀନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା କଂଗ୍ରେସ ଦାବି କରିଛି।


