ଅନୁଗୁଳ : ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ରବିବାର ମୃତ ସୁଭଦ୍ରାଙ୍କ ଘରକୁ ଗସ୍ତ କରି ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ସଂଘ ସଭାପତି ଅଜିତ କୁମାର ଧର ଓ ଉପ ସଭାପତି ସୁଧାକର ସାହୁଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟମାନେ ମୃତ ସୁଭଦ୍ରାଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ତାଙ୍କ ପରିବାର ଲୋକ ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରିଥିଲେ।
ସୂଚନାଯୋଗ୍ୟ କିଛିଦିନ ପୂର୍ବରୁ ତାଳଚେର ରେଲୱେ ଷ୍ଟେସନରୁ ତାଳଚେର ରୋଡ଼ ଷ୍ଟେସନକୁ ଅଟୋ ଯୋଗେ କଣିହାଁ ଲୋଧାଝରୀ ଗ୍ରାମର ସୁଭଦ୍ରା ପଦିଲି ଯାଉଥିବା ବେଳେ ଅଟୋ ଚାଳକ ବିଶୁ ଗୋଚ୍ଛାୟତ ତାଙ୍କୁ ଅପହରଣ କରିଥିଲା। ସୁଭଦ୍ରାଙ୍କୁ ଦୁଷ୍କର୍ମ କରିବା ସହ ଚୁନିରେ ତଣ୍ଟି ଚିପି ଅତି ନୃଶଂସ ଭାବରେ ହତ୍ୟା କରି ବିଲରେ ପିଙ୍ଗି ଦେଇଥିଲା। ଏହା ପରେ ରାଜ୍ୟ ବାହାରକୁ ମହାରାଷ୍ଟ୍ର ଫେରାର ହୋଇ ଯାଇଥିଲା। ପୁଲିସ ତଦନ୍ତ କରି ତାକୁ ଗିରଫ କରିଥିବା ଜଣାଯାଇଛି।