ଅନୁଗୁଳ: ଅନୁଗୁଳ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଶୁକ୍ରବାର ସକାଳେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଜାନୁଆରୀ ମାସ ପ୍ରଥମ ସପ୍ତାହରୁ ଅନୁଗୁଳ ଆଞ୍ଚଳିକ ପରିବହନ ବିଭାଗ ଓ ଜିଲ୍ଲା ପୁଲିସ ମିଳିତ ଭାବେ ଗାଡିଗୁଡିକର ଯାଞ୍ଚ କରିବା ସହ ମଦ୍ୟ ପାନ କରୁଥିବାଗାଡି ଚାଳକ ମାନଙ୍କ ବିରୁଦ୍ଧରେ କଡାକଡି କାର୍ଯାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଗୁଡିକୁ ସଂଯୋଗ କରୁଥିବା ଶାଖା ରାସ୍ତା ଗୁଡିକରେ ରମ୍ବଲର ତିଆରି ହେବା ସହ, ସୁରକ୍ଷା ଚିହ୍ନ ଦିଆଯାଇଥିବା ସାଇନ୍ବୋର୍ଡ ମଧ୍ୟ ଲଗାଯିବ। ସଚେତନତା ପାଇଁ ସମସ୍ତ ମଦ ଦୋକାନ ନିକଟରେ ମଦ ପିଇ ଗାଡିଚାଳନା ନକରିବା ପାଇଁ ସାଇନ ବୋର୍ଡ ଲଗାଯିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଜନବସତି ପାଖରେ ଥିବା ରାସ୍ତାର ଉଭୟପାର୍ଶ୍ବରେ ବାରିକେର୍ଡର ବ୍ୟବସ୍ଥା କରାଯିବ। ଅନୁଗୁଳ ବସଷ୍ଟାଣ୍ଡକୁ ନୂତନ ଭାବେ ନିର୍ମିତ ହୋଇଥିବା ବସ ଟର୍ମିନାଲକୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବଅଁରପାଳ ଠାରୁ ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟଳୟ ପର୍ଯ୍ୟନ୍ତ ବାଇପାସ୍ ରାସ୍ତାକୁତୁରନ୍ତ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା, ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକ,ଢେଙ୍କାନାଳ ଜାତୀୟ ରାଜପଥ ପ୍ରାଧିକରଣର ପ୍ରତିନିଧି,ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।