ଅନୁଗୁଳ : ଅନୁଗୁଳ ଜିଲ୍ଲାର ସବୁଠାରୁ ବଡ଼ ଗଣପର୍ବ ଲକ୍ଷ୍ମୀ ପୂଜାର ଆଜି ଶେଷ ଦିନ। ଆଜି ମେଲାଣି ନେଇଛନ୍ତି ଧନଦାତ୍ରୀ ମା’ ମହାଲକ୍ଷ୍ମୀ। ଦଶ ଦିନର ପୂଜା ପରେ ଆଜି ପୂଜା କମିଟି ପକ୍ଷରୁ ମା’ ଲକ୍ଷ୍ମୀଙ୍କୁ ଭବ୍ୟ ବିଦାୟ ଦିଆଯାଇଛି। ଅପରାହ୍ନ ସାଢେ ତିନିଟା ସୁଦ୍ଧା ଶୋଭାଯାତ୍ରାରେ ଭାଗ ନେବାକୁ ଥିବା ବାରଟି ଯାକ ପୂଜା କମିଟି ସେମାନଙ୍କ ସୁସଜ୍ଜିତ ରଥକୁ ଥାନା ଛକକୁ ଆଣିଥିଲେ। ଅପରାହ୍ନ ଚାରିଟା ସମୟରେ ସେଣ୍ଟ୍ରାଲ ପୂଜା କମିଟି ସଭାପତି ଅକ୍ଷୟ କୁମାର ସାମନ୍ତ ଓ ଭାରପ୍ରାପ୍ତ ଥାନା ଅଧିକାରୀ ପ୍ରଭାତ କୁମାର ତ୍ରିପାଠୀ ପତାକା ଦେଖାଇ ଭସାଣି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।
ଲେଜର ଲାଇଟ, ଶିଙ୍ଗ ବାଜା, ଗଉଡ଼ ବାଡ଼ି ଖେଳ ଓ ଡିଜିଟାଲ ମେଢ଼ ହଜାର ହଜାର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ସୁଦୃଶ୍ୟ ଆଲୋକ, ଭାଙ୍ଗଡା, ଲୋକ ନୃତ୍ୟ, ବାଘ ନାଚ, ମ୍ୟୁଜିକାଲସ ଓ ଢୋଲ ବାଜାରେ ଅନୁଗୁଳ ବଜାର କମ୍ପିଥିଲା। ଏହି ଶୋଭାଯାତ୍ରାରେ ହନୁମାନ ବଜାର, ଲକ୍ଷ୍ମୀ ବଜାର, ଆନନ୍ଦବଜାର, କାଞ୍ଚନ ବଜାର, ବଜାର ଛକ ଆଦି ରହିଥିଲେ। ଶୋଭାଯାତ୍ରା ଥାନା ଛକରୁ, ରାଜା ଛକ, ମେଡିକାଲ ଛକ, ବଜାର ଛକ ଦେଇ ନିଜ ନିଜ ବିସର୍ଜନ ଜଳାଶୟ ଆଡ଼କୁ ଯାଇଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କିଶୋର କର, ଅକ୍ଷୟ କୁମାର ଦାସ, ବିଚାରକ ହେମନ୍ତ କୁମାର ଦାସ ପ୍ରମୁଖଙ୍କ ସମେତ ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ।