ଅନୁଗୁଳ: ଆଜି ଅପରାହ୍ନରେ ବନ୍ତଳା ଛକ ଏକ ମିଠା ଦୋକାନରେ ପ୍ରଥମେ ନିଆଁ ଲାଗି ତାପରେ ପାଖ ଅନ୍ୟ ଦୋକାନକୁ ଡେଇଁ ଥିଲା। ଚାହୁଁଚାହୁଁ ୧୦ ଟି ଦୋକାନର ସର୍ବସ୍ୱ ପୋଡ଼ି ପାଉଁଶ ହୋଇଯାଇଥିଲା।ବନ୍ତଳା ଓ ଅନୁଗୁଳରୁ ଦମକଳ ପହଞ୍ଚି ନିଆଁ ଲିଭାଇଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇଁ ଲୋକପ୍ରିୟ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ବିଧାନସଭା ଛାଡ଼ି ବନ୍ତଳା ଅଭିମୁଖେ ବାହାରି ଆସିଥିଲେ। ଏଥିସହ ଜିଲ୍ଲା ପ୍ରଶାସନକୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ବିଧାୟକଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ, ତହସିଲଦାର ଓ ବିଡିଓ ଅଗ୍ନି କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟି ୩ ଜଣଙ୍କୁ ୧୫ ହଜାର ଓ ୭ ଜଣଙ୍କୁ ୧୦ ହଜାର ଟଙ୍କାର ସହାୟତା ରେଡକ୍ରସରୁ ଯୋଗାଇ ଦେଇଥିଲେ ବିଧାୟକ ଶ୍ରୀ ପ୍ରଧାନ ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇଥିବା ଦୋକାନୀ ମାନଙ୍କୁ ସାନ୍ତ୍ୱନା ଦେବା ସହ ୨ ଜଣଙ୍କୁ ୩ ଲକ୍ଷ ଟଙ୍କା, ୪ ଜଣଙ୍କୁ ୫୦ ହଜାର, ୨ ଜଣଙ୍କୁ ୩୦ ହଜାର, ଜଣଙ୍କୁ ୨୫ ହଜାର ଏବଂ ଅନ୍ୟ ଜଣଙ୍କୁ ୨୦ ହଜାର ଟଙ୍କାର ସହାୟତା ଦେଇଥିଲେ।
ଏଠାରେ ସୂଚନା ଯୋଗ୍ୟ ବିଧାୟକ ଶ୍ରୀ ପ୍ରଧାନଙ୍କ ଉଦ୍ୟମରୁ ବନ୍ତଳାରେ ଦମକଳ କେନ୍ଦ୍ର ଥିବାରୁ ଅଗ୍ନିକାଣ୍ଡ କ୍ଷୟକ୍ଷତି ସର୍ବନିମ୍ନ ହୋଇଥିବା କୁହାଯାଉଛି। ନଚେତ ପରିସ୍ଥିତି ଆହୁରି ଭୟାନକ ହୋଇଥାନ୍ତା ବୋଲି ବନ୍ତଳା ଅଞ୍ଚଳର ପୁରୁଖା ଲୋକମାନେ ପ୍ରକାଶ କରିଥିଲେ। ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ଲୋକଙ୍କ ସହାୟତା ପାଇଁ ବିଧାୟକ ଶ୍ରୀ ପ୍ରଧାନ ତତ୍କାଳ ବିଧାନସଭା ଛାଡ଼ି ଗାଁ ଲୋକଙ୍କ ବିପତ୍ତିରେ ଠିଆ ହେବାକୁ ସାଧାରଣରେ ବେଶ ପ୍ରଶଂସା କରାଯାଉଛି। ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି।


