ଫେବ୍ରୁଆରୀ ୭ ରୁ ଅନୁଗୁଳ ଜିଲ୍ଲା ମହୋତ୍ସବ, ଚଳିତବର୍ଷର ବାର୍ତ୍ତା ହେଉଛି “ଓଡ଼ିଆ ଅସ୍ମିତା”

You are currently viewing ଫେବ୍ରୁଆରୀ ୭ ରୁ ଅନୁଗୁଳ ଜିଲ୍ଲା ମହୋତ୍ସବ, ଚଳିତବର୍ଷର ବାର୍ତ୍ତା ହେଉଛି “ଓଡ଼ିଆ ଅସ୍ମିତା”

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୋତ୍ସବ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ
ଅଗସ୍ତି ବେହେରା ମଧ୍ୟ ଉପସ୍ଥିତ ରହି ଜିଲ୍ଲା ମହୋତ୍ସବର ସଫଳ ଆୟୋଜନ ନିମନ୍ତେ ଆଲୋଚନା କରିଥିଲେ। ଆସନ୍ତା ଫେବ୍ରୁଆରୀ ମାସ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଗୁଳ ଷ୍ଟାଡିୟମ ଠାରେ ଜିଲ୍ଲା ମହୋତ୍ସବ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି।

ଜିଲ୍ଲା ମହୋତ୍ସବର ୭ ଦିନ ପୂର୍ବରୁ ମଶାଲ ଶୋଭାଯାତ୍ରା ଆୟୋଜନ କରାଯିବା ନିମନ୍ତେ ସ୍ଥିର ହୋଇଛି। ଶୋଭାଯାତ୍ରାରେ ଜିଲ୍ଲାର ୪ ଗୋଟି ସ୍କାନ ଯଥା- ପାଳଲହଡାର ଖୁଲୁଡ଼ି ଶୈବ ପୀଠ, ଆଠମଲ୍ଲିକର ଦେଉଳଝରୀ,
ଟିକରପଡାର ଶିବମନ୍ଦିର ଓ ପୁରୁଣାଗଡ଼ର ଜଗନ୍ନାଥ ମନ୍ଦିର, ଛେଣ୍ଡିପଦାର ବାୟାଣୀ ପୀଠରୁ ମଶାଲ ଆସି ବିଭିନ୍ନ ବ୍ଳକ୍ ପରିକ୍ରମା କରି ସେହିଦିନ ତାଳଚେର ମା’ହିଙ୍ଗୁଳାଙ୍କ ପୀଠରେ ଏକତ୍ରିତ ହୋଇ ଶୈଳଶ୍ରୀକ୍ଷେତ୍ର ମନ୍ଦିରଠାରେ ସ୍ଥାପିତ ହେବେ ବୋଲି ସ୍ଥିର କରାଯାଇଛି। ଚଳିତବର୍ଷର ବାର୍ତ୍ତା ହେଉଛି “ଓଡିଆ ଅସ୍ମିତା”।

ଜିଲ୍ଲା ମହୋତ୍ସବ ସମୟରେ କବିତା ପାଠୋତ୍ସବ, ଲେଖକ
ସମ୍ମିଳନୀ, ଯୋଗ ପ୍ରାଣାୟମ ଶିବିର, ଚିତ୍ରକଳା ପ୍ରଦର୍ଶନୀ ଓ କ୍ରୀଡା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯିବ। ସେହିପରି ଆସନ୍ତା ଫେବ୍ରୁଆରୀ ମାସ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ପଲ୍ଲିଶ୍ରୀ ମେଳା ମଧ୍ୟ ଆୟୋଜନ କରାଯିବ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ରନାଥ ରାୟଗୁର, ଅନୁଗୁଳ ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ, ଅନୁଗୁଳ ଉପଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତି, ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା, ପାଳଲହଡା ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତି, ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ବିଶ୍ବଭୂଷଣ, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାଏକ, ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ଜିଲ୍ଲା ସଂସ୍କୃତି ପରିଷଦର ସମସ୍ତ ସଦସ୍ୟ ସଦସ୍ୟା ଓ ଜିଲ୍ଲା ମହୋତ୍ସବ କମିଟିର ସଦସ୍ୟ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply