ଅନୁଗୁଳ: ସାବିତ୍ରୀ ପାଇଁ ଏବେ ଫଳ ଦର ଆକାଶ ଛୁଆଁ। ମଉକା ଦେଖି ଛକା ମାରିବାକୁ ଚାହୁଁଥିବା ଦୁଇ ଦିନିଆ ଫଳ ଦୋକାନୀ ପେଟି ପେଟି ଫଳ କିଣି ଆଜି ରାସ୍ତା ଉପରେ ବସି ଯାଇଥିଲେ। ଟ୍ରାଫିକ ବ୍ୟବସ୍ଥା ପ୍ରତି ତାଙ୍କର ଖାତିର ନଥିଲା। ଖବର ପାଇ ପୌର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ସଦଳବଳ ଆଜି ବଡି ଭୋର୍ ସମୟରୁ ଚଢାଉ କରିଥିଲେ। ପୁରୁଣା ବସ୍ ଷ୍ଟାଣ୍ଡ ଅଖ ପାଖ ଏବଂ ତହସିଲ ଅଫିସ୍ ଓ ଷ୍ଟେଟ ବ୍ୟାଙ୍କ ସାମନାରେ ବସିଥିବା ଅମାନିଆ ଦୋକାନୀଙ୍କ ଉପରେ ଚଢ଼ାଉ କରାଯାଇଥିଲା। ରାସ୍ତାକୁ ଜବରଦଖଲ ନକରିବା ପାଇଁ ତାଗିଦ୍ ମଧ୍ୟ କରାଯାଇଥିଲା।
ଏହା ସତ୍ତ୍ୱେ ଯେଉଁ ଫଳ ଦୋକାନୀ ମାନେ ମାନି ନଥିଲେ ସେମାନଙ୍କ ଫଳ ଜବତ କରାଯିବା ସହ ଫାଇନ ଅସୁଲ କରାଯାଇଥିଲା। ଜଣେ ଫଳ ହୋଲସେଲରଙ୍କୁ ୧୦ ହଜାର ଏବଂ ଅନ୍ୟ ସାତ ଜଣ ଦୋକାନୀଙ୍କୁ ୨ ହଜାର ଲେଖାଏଁ ଏହିଭଳି ମୋଟ ୨୪ ହଜାର ଫାଇନ ଆଦାୟ କରାଯାଇଥିଲା। ଚଢାଉ ଟିମରେ ଟିକସ ଦାରୋଗା ବିଭୂତି ମହାରଣା, ସ୍ୟାନିଟାରି ସହାୟକ ସୂର୍ଯ୍ୟକାନ୍ତ ସ୍ୱାଇଁ, ଚିନ୍ମୟ ଦାସ ,ପ୍ରଶାନ୍ତ ଷଡ଼ଙ୍ଗୀ,ପ୍ରଦୀପ ସାହୁ,ଶ୍ରୀଧର ଭୁକ୍ତାଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ।