ଅନୁଗୁଳ: ନିଜେ ଗୁଟ୍ଖା ଖାଉଛନ୍ତି, କିନ୍ତୁ ସଫଲ ପାଇଁ ଦୋକାନୀଙ୍କ ଠାରୁ ଫାଇନ କାଟୁଛନ୍ତି ବାବୁ। ଅନୁଗୁଳରେ ଏଭଳି ଏକ ଦୃଶ୍ୟ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି।
ସୂଚନା ମୁତାବକ, ଖାଦ୍ୟ ସୁରକ୍ଷା ବିଭାଗର ଜଣେ ମହିଳା ଏବଂ ଜଣେ ପୁରୁଷ ଅଧିକାରୀ ଅନୁଗୁଳ ଶାବଳ ଭଙ୍ଗା ଗ୍ରାମର ଏକ ଦୋକାନକୁ ଆସିଥିଲେ। ଦୋକାନୀ ସଫଲ ବିକ୍ରି କରୁଥିବାରୁ ତାଙ୍କୁ ଫାଇନ ବାବଦରେ ପାଞ୍ଚଶହ ଟଙ୍କା ମାଗିଥିଲେ ଅଧିକାରୀ। କିନ୍ତୁ ଏତେ ଟଙ୍କା ଦେଇ ପାରିବିନି କହି ଦୋକାନୀ ଜଣଙ୍କ ୧୦୦ଟଙ୍କା ଫାଇନ୍ ଦେଇଥିଲେ। ଏହି ସମୟରେ ଖାକି ପୋଷାକଧାରୀ ବାବୁ ଜଣକ ଦୋକାନରୁ ଦୁଇଟି ସଫଲ ଆଣି ନିଜର ପକେଟ୍ରେ ପୂରେଇଥିଲେ। ଏହା ଦେଖି ଉପସ୍ଥିତ ଜଣେ ବ୍ୟକ୍ତି ପଚାରିଥିଲେ ‘ଆପଣ ଯଦି ସଫଲ ପାଇଁ ଫାଇନ୍ କାଟୁଛନ୍ତି, ତା’ହେଲେ ଆପଣ କେମିତି ସଫଲ ନେଇ ପକେଟ୍ରେ ପୂରେଇଲେ’। କିନ୍ତୁ ବାବୁ ଜଣକ ଉତ୍ତର ନ ଦେଇ ତରତର ହୋଇ ଗାଡ଼ି ଭିତରେ ବସି ପଳାଇଯାଇଥିଲେ। ଏହି ଘଟଣା ଏବେ ଚର୍ଚ୍ଚାରେ ରହିଛି।