ବହୁ ଚର୍ଚ୍ଚିତ ନାଲକୋ ନଗର ମଧୁସ୍ମିତାଙ୍କ ହତ୍ୟାକାଣ୍ଡର ଫର୍ଦ୍ଦାଫାସ, ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ କରିବାରୁ ତଣ୍ଟି ଚିପି ହତ୍ୟା କରିଥିଲା ଅଭିଯୁକ୍ତ ପାଇପ ମିସ୍ତ୍ରୀ

You are currently viewing ବହୁ ଚର୍ଚ୍ଚିତ ନାଲକୋ ନଗର ମଧୁସ୍ମିତାଙ୍କ ହତ୍ୟାକାଣ୍ଡର ଫର୍ଦ୍ଦାଫାସ, ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ କରିବାରୁ ତଣ୍ଟି ଚିପି ହତ୍ୟା କରିଥିଲା ଅଭିଯୁକ୍ତ ପାଇପ ମିସ୍ତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର କଲୋନି କ୍ୱାର୍ଟର୍ସରେ ଦିନ ଦ୍ବିପ୍ରହରରେ ଜଣେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟାକାଣ୍ଡ ଘଟଣାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ନାଲକୋ କର୍ମଚାରୀ କାର୍ତ୍ତିକ ଚନ୍ଦ୍ର ପ୍ରଧାନଙ୍କ ପତ୍ନୀ ମଧୁସ୍ମିତା ପ୍ରଧାନ କ୍ୱାର୍ଟର୍ସରେ ଏକାକୀ ଥିବାବେଳେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ନେଇ ନାଲକୋ ଥାନାରେ ଗତ ଡିସେମ୍ବର ୧ ତାରିଖରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୋଲିସର ସ୍ୱତନ୍ତ୍ର ଅଭିଯାନ “ଅପରେସନ୍ ସାଇଲେଣ୍ଟ କୋବ୍ରା” ଜରିଆରେ ହତ୍ୟା ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି।

ଅଭିଯୁକ୍ତ ପେସାରେ ଜଣେ ପ୍ଲମ୍ବର ଏବଂ ନାଲକୋର ଠିକାଦାରଙ୍କ କର୍ମଚାରୀ ହୋଇଥିବାରୁ ନାଲକୋ ପରିସରରେ ଥିବା କ୍ୱାର୍ଟର୍ସରେ ତାଙ୍କର ଯାତାୟାତ ଥାଏ। ହତ୍ୟାକାଣ୍ଡର ଅଭିଯୁକ୍ତ ଅନୁଗୁଳ ସଦର ଥାନା ଅନ୍ତର୍ଗତ ବାରସିଂହା ଗ୍ରାମର ଜୀବନ ସାହୁଙ୍କ ପୁଅ ତପନ ସାହୁ(୨୭)କୁ ପୁଲିସ ଗିରଫ କରିଛି ଏବଂ ତାର ବ୍ୟବହୃତ ହୋଣ୍ଡା ସାଇନ ବାଇକ, ଗୋଟିଏ ମୋବାଇଲ ଏବଂ ମୃତକଙ୍କ ସୁନା କାନଫୁଲ ଓ ମଙ୍ଗଳସୂତ୍ର ଜବତ କରିଛି ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ନାଲକୋ କଲୋନୀ ପରିସର ତିନି ମହଲା ଅଞ୍ଚଳରେ କ୍ୱାର୍ଟର ନମ୍ବର ବି ୨୦୦୧ ରେ ରହୁଥିବା ନାଲକୋ କର୍ମଚାରୀ କାର୍ତ୍ତିକ ଚନ୍ଦ୍ର ପ୍ରଧାନଙ୍କ ପତ୍ନୀ ମଧୁସ୍ମିତା ପ୍ରଧାନ (୩୭)ଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା। ଆରକ୍ଷୀ ଅଧୀକ୍ଷକଙ୍କ ସମେତ ନାଲକୋ ପୋଲିସ ଟିମ୍ ସହ ଏକ ଆଠ ଜଣିଆ ଇନ୍ସପେକ୍ଟର ଟିମ୍ ବିଭିନ୍ନ ଦିଗରେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତର କହିବାନୁଯାୟୀ, ସେ କୌଣସି ପ୍ଲମ୍ବିଂ କାମ ବାହାନାରେ ପୀଡିତାଙ୍କ ଘରକୁ ଯାଇଥିଲେ। ଘରେ ପ୍ରବେଶ କରି ସେ ପୀଡିତାଙ୍କୁ ପ୍ରେମ ନିବେଦନ କରିଥିଲା, ଯାହାକୁ ମଧୁସ୍ମିତା ତୀବ୍ର ବିରୋଧ କରିଥିଲେ। ଏଥିରେ କ୍ରୋଧିତ ହୋଇ ସେ ତାଙ୍କ ପିନ୍ଧା ଚୁନି ଦ୍ୱାରା ତାଙ୍କ ଗଳାଚିପି ହତ୍ୟା କରିଥିଲେ ଏବଂ ସେଠାରୁ ପଳାଇ ଯାଇଥିଲେ। ତଦନ୍ତକୁ ବିଭ୍ରାନ୍ତ କରିବା ଏବଂ ଡକାୟତିର ମିଥ୍ୟା ଧାରଣା ଦେବା ପାଇଁ, ଅଭିଯୁକ୍ତ ଅପରାଧ କରିବା ପରେ ମୃତକଙ୍କ ସୁନା ଅଳଙ୍କାର କାଢ଼ି ନେଇଥିଲେ। ଅଭିଯୁକ୍ତକୁ ପୋଲିସ ଧରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି।

Share

Leave a Reply