ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ।
ବୈଠକରେ ଜିଲ୍ଲା ମହୋତ୍ସବର ସଫଳ ଆୟୋଜନ ନିମନ୍ତେ ପୁଂଖାନୁପୁଂଖ ଭାବେ ଆଲୋଚନା କରାଯାଇଥିଲା। ଆସନ୍ତା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଅନୁଗୁଳ ଷ୍ଟାଡିୟମ ଠାରେ ୪ ଦିନ ଧରି ଜିଲ୍ଲା ମହୋତ୍ସବ ଆୟୋଜନ କରାଯିବାକୁ ବୈଠକରେ ସ୍ଥିର କରାଯାଇଛି। ଜିଲ୍ଲା ମହୋତ୍ସବ ପୂର୍ବରୁ ମଶାଲ ଶୋଭାଯାତ୍ରା ଆୟୋଜନ କରାଯିବା ନିମନ୍ତେ ସ୍ଥିରୀକୃତ କରାଯାଇଛି। ଏହି ମଶାଲ ଶୋଭାଯାତ୍ରା ପାଳଲହଡ଼ାର ଖୁଲୁଡ଼ି ଶୈବ ପୀଠ, ଆଠମଲ୍ଲିକର ଦେଉଳଝରୀ, ଟିକରପଡ଼ାର ଶିବମନ୍ଦିର ଓ ପୁରୁଣାଗଡ଼ର ଜଗନ୍ନାଥ ମନ୍ଦିର, ଛେଣ୍ଡିପଦାର ବାୟାଣୀ ପୀଠ ଆଦି ୪ ଜାଗାରୁ ମଶାଲ ଆସି ବିଭିନ୍ନ ବ୍ଲକ୍ ପରିକ୍ରମା କରି ସେହିଦିନ ତାଳଚେର ମା’ହିଙ୍ଗୁଳାଙ୍କ ପୀଠରେ ଏକତ୍ରିତ ହୋଇ ଶୈଳଶ୍ରୀକ୍ଷେତ୍ର ମନ୍ଦିରଠାରେ ସ୍ଥାପିତ ହେବେ ବୋଲି ସ୍ଥିର କରାଯାଇଛି।
ଏଥରକ କୌଣସି ପାସ୍ ବ୍ୟବସ୍ଥା ରହିବ ନାହିଁ। ଜିଲ୍ଲା ମହୋତ୍ସବ ସମୟରେ କବିତା ପାଠୋତ୍ସବ, ଲେଖକ ସମ୍ମିଳନୀ, ଯୋଗ ପ୍ରାଣାୟାମ ଶିବିର, ଚିତ୍ରକଳା ପ୍ରଦର୍ଶନୀ ଓ କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯିବ। ସେହିପରି ୬ ଦିନ ଧରି ପଲ୍ଲିଶ୍ରୀ ମେଳା ଆୟୋଜନ କରାଯିବ ଏବଂ ଜିଲ୍ଲାର ଐତିହ୍ୟ, ସଂସ୍କୃତି, ପରମ୍ପରା, ଲୋକକଳା, ହସ୍ତଶିଳ୍ପ ସହିତ ସ୍ବଦେଶୀ ପଦାର୍ଥର ପ୍ରଦର୍ଶନୀ ପାଇଁ ସ୍ବଦେଶୀ ମେଳାର ଆୟୋଜନ ମଧ୍ୟ କରାଯିବା ନିମନ୍ତେ ବୈଠକରେ ସ୍ଥିର କରାଗଲା।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ୍ତ ମହନ୍ତ, ପାଳଲହଡ଼ା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରବମୟ ପ୍ରଧାନ, ଅନୁଗୁଳ ତହସିଲଦାର ଆଲୋକ କୁମାର ଦେହୁରୀ, ଓରମାସର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ବିମନ ମଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାଏକ, ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ମହୋତ୍ସବ କମିଟିର ସଦସ୍ୟ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ।


