ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ବଚପନ ପ୍ଲେ ସ୍କୁଲର ବାର୍ଷିକ ପୁରସ୍କାର ବିତରଣି ସମାରୋହ ଆୟୋଜିତ ହୋଇଯାଇଛି।ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ମୁଖ୍ୟ ଅତିଥି ରୂପେ ସମାରୋହକୁ ଉଦଘାଟନ କରିଥିଲେ। ଶ୍ରୀ ସର ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ କି ପ୍ରାକ୍ ଶୈଶବରେ ଶିଶୁ ମାନଙ୍କ ଜିଜ୍ଞାସାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଉପଯୁକ୍ତ ଶିକ୍ଷାଦାନ କରାଯିବା ଉଚିତ୍। ପାଠକୁ ଶିଶୁ ମାନଙ୍କ ଉପରେ ବୋଝ ଭଳି ନ ଲଦି ସେମାନଙ୍କ ଦକ୍ଷତା ଓ ଆଗ୍ରହକୁ ଦେଖି ଶିକ୍ଷାଦାନ ଦେବା ଉଚିତ। ସରକାର ମଧ୍ୟ ଶିକ୍ଷା ରୂପାନ୍ତରିକରଣ ଯୋଜନାରେ ଏଥିନେଇ ଅନେକ ବ୍ୟବସ୍ଥା କରିଛନ୍ତି।
ସମାରୋହରେ ସ୍କୁଲର ପ୍ରିଂସିପାଲ ଇଭାଲିନ ରଥ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ନିର୍ଦ୍ଦେଶିକା ସଲିମା ଦାମାନୀ ସ୍କୁଲର ଆଭିମୁଖ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ।ଅତିଥି ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।ଯଶୋଦା ନାୟକଙ୍କୁ ଶ୍ରେଷ୍ଠ ଟ୍ରାଫିକ ପୋଲିସ,ସୁଧାକର ସାହୁଙ୍କୁ ଶ୍ରେଷ୍ଠ ପୋଷ୍ଟ ମ୍ୟାନ ସହିତ କୁମ୍ଭାର ଓ ଶ୍ରେଷ୍ଠ କ୍ୟାବ ଡ୍ରାଇଭରଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ସିମ୍ରନ ବେଗମ ମଞ୍ଚ ପରିଚାଳନା କରିଥିବା ବେଳେ ନିଝାର ଅଲି ଦାମାନୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।