ଅନୁଗୁଳ: ସ୍ଥାନୀୟ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ରେଞ୍ଜରର ଜଗନ୍ନାଥପୁର ଆମ୍ବ ବଗିଚାରେ ପୁଣି ଏକ ଦନ୍ତା ହାତୀର ମୃତ୍ଯୁ ଘଟିଛି। ବିଦ୍ୟୁତ ଆଘାତରେ ହାତୀର ମୁତ୍ୟୁ ଘଟିଥିବା ଜଣାପଡ଼ିଛି। ଖାଦ୍ୟ ଅନ୍ୱେଷଣରେ ନିକଟସ୍ଥ ଜଙ୍ଗଲରୁ ହାତୀଟି ଗାଁକୁ ଆସୁଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଛି।
ସୂଚନା ମୁତାବକ, ଜଗନ୍ନାଥପୁର ଆମ୍ବ ବଗିଚାରେ ବାରହା ଶିକାର ପାଇଁ ଶିକାରୀ ଜାଲ ବିଛାଇଥିଲା। କିନ୍ତୁ ଦନ୍ତା ସେଥିରେ ଫସିଯାଇଥିଲା। ବିଦ୍ୟୁତ ଆଘାତ ପାଇ ଦନ୍ତା ହାତୀଟି ଫାଶରେ ହିଁ ପ୍ରାଣ ହରାଇଥିଲା। ମୃତ ଦନ୍ତା କମ୍ ବୟସର ହେବ ବୋଲି ସୂଚନା ମିଳିଛି। ଏ ନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫଓ ଓ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ ସଂଯୋଗ କାଟି ହାତୀକୁ ଉଦ୍ଧାର କରିଥିଲେ। ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡିଏଫଓ କହିଛନ୍ତି।