ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଜିଲ୍ଲା ବିଜେପି ପ୍ରତିନିଧି ଦଳ। ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏହି ଦଳ ନୂଆଦିଲ୍ଲୀ ଗସ୍ତ କରି ମଙ୍ଗଳବାର ଦିନ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଛନ୍ତି। ଏ ଅବସରରେ ଅନୁଗୁଳ ରେଳ ଷ୍ଟେସନକୁ ଏକ ଉନ୍ନତମାନର ସମସ୍ତ ସୁବିଧା ଥିବା ଆଧୁନିକ ରେଳ ଷ୍ଟେସନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏଥିସହ ତାଳଚେର-ଅନୁଗୁଳ ଲୁପ ଲାଇନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଇବା, ମୋବାଇଲ ଟାୱାର ନଥିବା ପଞ୍ଚାୟତରେ ଟାୱାର ବସାଇବା, ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟକୁ ଖୁବଶୀଘ୍ର ସମ୍ପାଦନା କରିବା, ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବାମୁର ଠାରେ ରହଣି କରାଇବା, ଅନୁଗୁଳ-ପୁରୀ ପାସେଞ୍ଜରକୁ ବାମୁର ପର୍ଯ୍ୟନ୍ତ ବଢ଼ାଇବା ନେଇ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଏ ସମସ୍ତ ଦାବି ଉପରେ ତୁରନ୍ତ କାର୍ଯ୍ୟ କରିବାକୁ ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି। ଏ ଅବସରରେ ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ, ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ମେହେର ପ୍ରମୁଖ ଉପସ୍ଥିତ ଥିଲେ।