ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଗୁଳ–ପୁରୀ ମେମୋ ଟ୍ରେନ ପୁନଃ ଚଳନ ପାଇଁ ଅତିରିକ୍ତ ଡିଆରମଙ୍କ ଉଦ୍ଦେଶ୍ୟରେ ଗୁରୁବାର ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା କଂଗ୍ରେସ କମିଟିର ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ବରେ ଏକ ପ୍ରତିନିଧିଦଳ ଅନୁଗୁଳ ରେଳ ଷ୍ଟେସନ ମାଷ୍ଟରଙ୍କୁ ତୁରନ୍ତ ଅନୁଗୁଳ- ପୁରୀ ମେମୋ ଟ୍ରେନ ପୁନଃ ଚଳାଚଳ କରିବା ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଏହି ଟ୍ରେନ ସମେତ ଅନେକ ଟ୍ରେନ ଆଜିଯାଏ ବନ୍ଦ ରହିଛି। ଫଳରେ ଦୈନିକ ଉକ୍ତ ଟ୍ରେନକୁ ଭରସା ରଖିଥିବା ବହୁ ଚାକିରିଆ ଓ ବିଭିନ୍ନ ବର୍ଗର ଲୋକ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଆହୁରି ମଧ୍ୟ ଅନୁଗୋଳରୁ କଟକ, ଭୁବନେଶ୍ବର, ଢେଙ୍କାନାଳ ଆଦି ସ୍ଥାନକୁ ଯିବା ପାଇଁ ଯାତ୍ରୀମାନେ ଏହି ଟ୍ରେନ ଉପରେ ମୁଖ୍ୟତଃ ନିର୍ଭର କରିଥାନ୍ତି। ସମ୍ବଲପୁର- ପୁରୀ ଇଣ୍ଟରସିଟି ମଧ୍ୟ ବନ୍ଦ କରି ରଖିଥିବା ଯୋଗୁଁ ଜନତା ବହୁତ ହଇରାଣ ହେଉଥିବା ଦେଖାଯାଉଛି। ଏଣୁ ଯଥାଶୀଘ୍ର ଉକ୍ତ ଟ୍ରେନକୁ ଚଳାଇବା ସହ ଯାତ୍ରୀ ମାନଙ୍କୁ ସ୍ପେଶିଆଲ ଦରରେ ଭଡା ନ ନେଇ ପୂର୍ବଭଳି ଭଡା ନେବା, ଯାତ୍ରୀ ମାନଙ୍କୁ ପୂର୍ବରୁ ଟିକଟ କାଟିବା ପାଇଁ ଯେଉଁ ସବୁ ବ୍ୟବସ୍ଥା ଥିଲା ତାହା ଚାଲୁ କରିବାକୁ ଦାବି କରାଯାଇଥିଲା। ଏହି ଦାବି ଗୁଡ଼ିକ ପ୍ରତି ରେଳବାଇ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଜିଲ୍ଲା କଂଗ୍ରେସ କମିଟି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଜଣାଇ ଦିଆଯାଇଛି। ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସର ଜିତେନ୍ଦ୍ର ସାହୁ, ଗୋପାଳ ନାଥ, ଧର୍ମେନ୍ଦ୍ର ନାଥ ମିଶ୍ର, ଟିକନ ବେହେରା, ନିଳକଣ୍ଠ ନାଏକ, ତପସ୍ଵିନୀ ବିଶ୍ବାଳ, ଅମୂଲ୍ୟ ବେହେରା, ସଂଗ୍ରାମ ବେହେରା, ଅଳକା ରାଣୀ ମହାପାତ୍ର, ପ୍ରଶାନ୍ତ ବିଶ୍ବାଳ, ହେମନ୍ତ ମହାଳିକ, କୈଳାଶ ପ୍ରଧାନ, କାମାକ୍ଷା ପ୍ରଧାନ ପ୍ରମୁଖ ସାମିଲ ଥିଲେ।
ଅନୁଗୁଳ – ପୁରୀ ମେମୋ ଟ୍ରେନର ପୁନଃ ଚଳନ ପାଇଁ କଂଗ୍ରେସର ଦାବି
- Post published:November 19, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
