ଅଫେରା ରାଇଜରେ ଲକ୍ଷେ ରାଜାର ମଉଡ଼ମଣି ପଦ୍ମଶ୍ରୀ ପ୍ରଫୁଲ୍ଲ କର

0

ଆଉ ଶୁଭିବନି ‘କମଳ ଦେଶର ରାଜକୁମାର… ‘। ସବୁଦିନ ପାଇଁ ନିରବି ଯାଇଛନ୍ତି ଲକ୍ଷେ ରାଜାର ମଉଡ଼ମଣି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର। ୮୩ ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି। ରବିବାର ରାତିରେ ଭୁବନେଶ୍ୱରସ୍ଥିତ ସତ୍ୟନଗର ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକ ଖବର ପାଇବା ପରେ ସଙ୍ଗୀତ ଦୁନିଆ ସ୍ତବ୍ଧ ହୋଇଯାଇଛି। ସଙ୍ଗୀତ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ତାଙ୍କ ପାର୍ଥିବ ଶରୀରକୁ ସତ୍ୟନଗରସ୍ଥିତ ବାସଭବନରୁ ସଙ୍ଗୀତ ମହାବିଦ୍ୟାଳୟ ଓ ପରେ ସଙ୍ଗୀତ ନାୟକ ଏକାଡେମୀକୁ ନିଆଯିବ। ଏହାପରେ ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।

ପୁରୀର ବୈଦ୍ୟନାଥ କର ଓ ସୁଶୀଳା କରଙ୍କ ଔରସରୁ ୧୯୩୯ ଫେବୃୟାରୀ ୧୬ରେ ଜନ୍ମଗ୍ରହଣ କରିଥିଲେ ପ୍ରଫୁଲ୍ଲ। ମାତ୍ର ୨୧ ବର୍ଷ ବୟସରେ ୧୯୬୦ ମସିହାରୁ ସେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଗାୟକ ମାନ୍ୟତା ପାଇଥିଲେ। ତା’ ପରେ ୧୯୭୦ରୁ ସେ ଏଚଏମ୍‌ଭିର ପଞ୍ଜିକୃତ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଭାବେ ପରିଚିତ ହୋଇଥିଲେ। ୭୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ଏହି କାଳଜୟୀ ଗାୟକ। ସେ ୪ଟି ବଙ୍ଗଳା ଫିଲ୍ମ ପାଇଁ ମଧ୍ୟ କଣ୍ଠଦାନ କରିଥିଲେ।

୧୯୬୨ରେ ମୁକ୍ତିପ୍ରାପ୍ତ ‘ଶ୍ରୀଶ୍ରୀ ପତିତପାବନ’ ଚଳଚ୍ଚିତ୍ର ପାଇଁ ସେ ପ୍ରଥମେ କଣ୍ଠଦାନ କରିଥିଲେ। ଓଡ଼ିଆ ଭାଗବତ, ଓଡିଆ ଛାନ୍ଦ, ଗୀତଗୋବିନ୍ଦ, ଭଜନ, ଜଣାଣ ଓ ଓଡ଼ିଶୀ ସଂଗୀତର ନିର୍ଦ୍ଦେଶନା ଓ ପ୍ରସ୍ତୁତି ପାଇଁ ସେ ବିଶେଷ ଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କ ପ୍ରକାଶିତ ଗ୍ରନ୍ଥ ଗୁଡିକ ହେଉଛି ‘ସାଉଁଟା କାହାଣୀ’, ‘ଯାହା କହୁଛି ସତ କହୁଛି’, ଗୀତିଗ୍ରନ୍ଥ: ‘ଆଜ୍ଞାମାଳ’ ଓ ‘କୃପାଜଳ’ । ୨୦୦୬ ରେ ‘କୃପାଜଳ’ ଗୀତିଗ୍ରନ୍ଥ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ୨୦୦୪ରେ ଓଡ଼ିଶା ସରକାରଙ୍କ ପ୍ରଦତ୍ତ ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ‘ଜୟଦେବ ପୁରସ୍କାର’ମିଳିଥିବା । ଏହାପରେ ୨୦୧୫ରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ୨୦୦୪ରେ ଜୟଦେବ ପୁରସ୍କାର, ୨୦୦୯ରେ କବି ସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ ସମ୍ମାନ ଓ ୨୦୧୦ରେ ବାଳକୃଷ୍ଣ ଦାସ ସମ୍ମାନ ପାଇଥିଲେ ପ୍ରଫୁଲ୍ଲ କର। ଉତ୍କଳ ବିଶ୍ୱବିଦ୍ୟାଳୟରୁ ପ୍ରଫୁଲ୍ଲଙ୍କୁ ମିଳିଥିଲା ଡି.ଲିଟ୍‌ ଉପାଧି। ‘ମମତା’, ଶେଷ ଶ୍ରାବଣ’, ‘ବନ୍ଧୁ ମହାନ୍ତି’ ସିନେମାରେ ଗୀତ ଗାଇଥିଲେ ।

ପ୍ରଫୁଲ୍ଲଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ଘଟିଛି। ତାଙ୍କର ସ୍ୱତନ୍ତ୍ର ସଙ୍ଗୀତ ରଚନା ଶୈଳୀ ଲୋକଙ୍କ ହୃଦୟରେ ତାଙ୍କୁ ସର୍ବଦା ଅମର କରି ରଖିବ। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରୀୟ ସମ୍ମାନ ସହ ସ୍ୱର୍ଗତ କରଙ୍କ ଶେଷକୃତ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ଯ ପ୍ରଫୁଲ୍ଲ କରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.

error: Content is protected !!