ଅନୁଗୁଳ: ଜଣେ ବିଦ୍ୟୁତ୍ ଗ୍ରାହକଙ୍କୁ ସେବା ନଦେଇ ହଇରାଣ କରିବା ବିଭାଗୀୟ ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।ଘଟଣାରୁ ପ୍ରକାଶ ଯେ କଲିୟାରି ଥାନା ଅନ୍ତର୍ଗତ ବଡ଼ ସିଙ୍ଗଡ଼ା ସ୍କୁଲ ସାହିର ଉପମା ପ୍ରଧାନ(୫୫) ଙ୍କ ଘରକୁ ଉପଯୁକ୍ତ ବିଦ୍ୟୁତ୍ ଭୋଲଟେଜ୍ ନ ମିଳିବାରୁ ସେ ଗ୍ରାହକ ହିସାବରେ ଅଭିଯୋଗ କରି ସମାଧାନ ଚାହିଁଥିଲେ । ଏହା ୨୦୧୮ ମସିହାର କଥା। ବୃଦ୍ଧା ଗ୍ରାହକ ଜଣକ ସମସ୍ୟାର ସମାଧାନ ପାଇଁ ସେତେବେଳର ସେସୁ ବର୍ତ୍ତମାନର ଟିପିଶିଓଡେଲ ଜଏଣ୍ଟ ଭେଞ୍ଚ୍ୟୋରଙ୍କୁ ଜଣାଇଥିଲେ। କୌଣସି ସୁଫଳ ନ ପାଇ ସେ ଖାଉଟି ବିବାଦ ବିଚାର ଆୟୋଗର ଦ୍ବାରସ୍ଥ ହୋଇଥିଲେ। ଆୟୋଗରେ ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ ୨୦୨୦ ମସିହାରେ ଉପମାଙ୍କ ସମସ୍ୟା ଦୂର ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଭାଗ ଶୁଣି ନଥିଲା। ଉପମା ନିଜର ଲଢେଇ ଜାରିରଖି ସେପ୍ଟେମ୍ବର ୨୦୨୨ରେ ଆୟୋଗ ଠାରୁ ନ୍ୟାୟ ପାଇଥିଲେ କି ଦୀର୍ଘ ଦିନ ଧରି ତାଙ୍କୁ ହଇରାଣ କରିଥିବାରୁ ଟିପିଶିଓଡ଼ିଏଲ ତାଙ୍କୁ ୮୦ ହଜାର ଟଙ୍କା କ୍ଷତିପୂରଣ ଦେବାସହ ସମସ୍ୟାର ସମାଧାନ କରିବ। କିନ୍ତୁ ତଥାପି ବିଭାଗ କିଛି ନ ଶୁଣି ଟାଳଟୁଳ ନୀତି ଧରିଥିଲା। ଏଥିରେ କ୍ଷୋଭ ପ୍ରକାଶ କରି ଆୟୋଗର ଅଧ୍ୟକ୍ଷ ସରୋଜ କୁମାର ସାହୁ ଗତ ୨୧.୧.୨୦୨୩ରେ ମ୍ୟାନେଜର ତାଳଚେର, ନିର୍ବାହୀ ଯନ୍ତ୍ରୀ ଚାଇଁପାଲ ଓ ସୁପରିନଟେଣ୍ଡେଣ୍ଟ ଇଞ୍ଜିନିୟର ଢେଙ୍କାନାଳଙ୍କୁ ସିଧା ସଳଖ ଦାୟିକରି ତାଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିଛନ୍ତି ।ଏଥିପାଇଁ ଅନୁଗୁଳ ଓ ଢେ଼ଙ୍କାନାଳ ଏସପିଙ୍କୁ ଚିଠି କରାଯାଇଛି। ଆୟୋଗର ସଭ୍ୟା ସସ୍ମିତା ରଥ ଏଥିରେ ସହଯୋଗ କରିଥିଲେ।
ବିଦ୍ୟୁତ୍ ସେବା ନ ଦେବା ମହଙ୍ଗା ପଡିଲା, ୩ ଅଧିକାରୀଙ୍କୁ ଗିରଫ ପରୱାନା
- Post published:January 30, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul