ଅନୁଗୁଳ: ୱାର୍ଡ ଭିତରେ ରୋଗୀକୁ ବାନ୍ଧି ଝଡାଫୁଁଙ୍କା କରିବା ଘଟଣାର ଚବିଶି ଘଣ୍ଟା ନ ପୁରୁଣୁ ଆଉ ଏକ ଘଟଣା ଅନୁଗୁଳ ମେଡ଼ିକାଲକୁ ବଦନାମର ରାଜ ରାସ୍ତାରେ ଠିଆ କରିଛି।
ମିଳିଥିବା ସୂଚନା ଅନୁସାରେ ନିଶା ଥାନା ଅନ୍ତର୍ଗତ ଜାମୁଣ୍ଡା ଗାଁର ସଦାନନ୍ଦ ପ୍ରଧାନ ନିଜ ୧୪ ମାସର ଝିଅକୁ ଆଲାର୍ଜି ଓ ଜ୍ଵରରେ ପୀଡିତ ହୋଇଥିବାରୁ ମଙ୍ଗଳବାର ରାତି ପ୍ରାୟ ସାଢେ଼ ୨ଟା ବେଳେ ଓପିଡିକୁ ଆଣିଥିଲେ। ଏହାପରେ ଶିଶୁ କନ୍ୟାକୁ ଶିଶୁ ୱାର୍ଡରେ ଆଡ଼ମିଶନ ପାଇଁ ନେଇଥିଲେ। ସେଠାରେ ଶୋଇଥିବା ନର୍ସଙ୍କୁ ଉଠାଇ ଚିଠା ଦେଖାଇଥିଲେ। ତେବେ ଚିଠା ମୁତାବକ ନର୍ସ ଝିଅଟିକୁ ଇଞ୍ଜେକସନ ଦେବାପାଇଁ ଉଦ୍ୟମ କରିଥିଲେ। ହାତ ଠୁ ପାଦ ଜଙ୍ଘ ଚାରି ପାଞ୍ଚ ଜାଗା ଫୋଡ଼ିବା ପରେବି ଇଞ୍ଜେକସନ ଦେଇ ପାରିନଥିଲେ। ଏଣେ ଝିଅ ଜୋରରେ କାନ୍ଦିବାରୁ ବାପା ସଦାନନ୍ଦ ନର୍ସକୁ ଆପଣ ପାରୁନାହାନ୍ତି ଆଉ କିଏ ଯଦି ସିନିୟର୍ ଅଛନ୍ତି ଡାକନ୍ତୁ ବୋଲି କହିବାରୁ ନର୍ସ ଜଣକ ବିଗିଡି ଯାଇଥିଲେ। ଏତିକିବେଳେ ରୁମରେ ଥିବା ଆଉ ଜଣେ ନର୍ସ ଆସି ସଦାନନ୍ଦକୁ ଗାଳି ଗୁଲଜ କରିଥିଲେ। ଅକାରଣରେ ଗାଳି ଦେଉଥିବାରୁ ସଦାନନ୍ଦ ମୋବାଇଲ ବାହାର କରି ଗାଳି ବନ୍ଦ କର ନଚେତ୍ ରେକର୍ଡିଂ କରିବି ବୋଲି କହିଥିଲେ ।ଏଥିରେ ନର୍ସ ଦ୍ବୟ ଆହୁରି ରାଗି ଯାଇ ଶିକ୍ୟୁରିଟି ସୁପର ଭାଇଜର ଡକାଇ ସଦାନନ୍ଦକୁ ବାଡେଇବା ସହ ତାଙ୍କ ମୋବାଇଲ ଭାଙ୍ଗି ଦେଇଥିଲେ। ନର୍ସଙ୍କ ରାଗ ଏତିକିରେ ଶାନ୍ତ ହୋଇନଥିଲା। ସେମାନେ ରୋଗୀକୁ ଜବରଦସ୍ତ ୱାର୍ଡରୁ ବାହାର କରିଦେଇଥିଲେ।କାନ୍ଦି କାନ୍ଦି ବାପା, ମା ଓ ଝିଅ ବସ ଷ୍ଟାଣ୍ଡରେ ରାତି ଅଖିଆ ଅପିଆ ରହି ସକାଳେ ପୁଣି ଓପିଡିରେ ଚର୍ମ ବିଭାଗରେ ଦେଖାଇ ଘରକୁ ଫେରିଥିଲେ। ଏ ଅଭିଯୋଗ ନେଇ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କର ଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ। ନର୍ସ ମାନଙ୍କ ବ୍ୟବହାର ସୀମା ଟପି ଯାଉଚି ବୋଲି ସାଧାରଣରେ ଅଭିଯୋଗ ହେଉଚି।