ଅନୁଗୁଳ: ଅନୁଗୁଳର ସାଂସ୍କୃତିକ ଅନୁଷ୍ଠାନ ‘କଳାକାର’ ପକ୍ଷରୁ ନଭେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସଭାଘରଠାରେ ଚାରିଦିନିଆ ବୋଇତ ବନ୍ଦାଣ ମହୋତ୍ସବ ଆୟୋଜିତ ହେବ। ଏନେଇ କଳାକାର ଭବନଠାରେ ସଭାପତି ବୀରେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଚୂଡ଼ାନ୍ତ ହୋଇଛି।
ମହୋତ୍ସବରେ ସଙ୍ଗୀତ ଏକାଡେମୀ ପୁରସ୍କାରପ୍ରାପ୍ତ କଣ୍ଠଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠୀ ଓ କଣ୍ଠଶିଳ୍ପୀ ସରୋଜକାନ୍ତ ସାହୁଙ୍କୁ ‘କଳାକାର ପ୍ରତିଭା ସମ୍ମାନ’ ଏବଂ ନାଟ୍ୟକାର ନବଦୀପ ମହାଳିକଙ୍କୁ ‘ଶରତ ମାଝୀ ସ୍ମାରକୀ କଳାକାର ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବ।
ଏହାସହ ଝୋଟି, ଚିତ୍ରାଙ୍କନ, ଓଡ଼ିଶୀ ନୃତ୍ୟ, ତାଳବାଦ୍ୟ, କି-ବୋର୍ଡ, କୌତୁକ ବେଶ, କଣ୍ଠସଙ୍ଗୀତ ଓ ଲୋକନୃତ୍ୟ ସମେତ ବିଭିନ୍ନ ବିଭାଗରେ ରାଜ୍ୟସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ହେବ। ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀ ଭାଗ ନେଇପାରିବେ।
ଓଡ଼ିଆ ଜାତିର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ସାଧବ ପୁଅଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ସହ କଳା ଓ ସଂସ୍କୃତିର ପ୍ରଚାର ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ।
ବୈଠକରେ ଉପଦେଷ୍ଟା ଭୂପେଶ ଚନ୍ଦ୍ର ପ୍ରଧାନ, ଇନ୍ଦିରା ଦାସ, ବିଭୂତି ମହାପାତ୍ର, ବୈରାଗୀ ଚରଣ ମଲ୍ଲିକ, ରୁଚିର ବରାଳଙ୍କ ସମେତ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ଥିଲେ। ସମ୍ପାଦକ ବିଦେଶୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।















