ଅନୁଗୋଳ: ସମ୍ଭାବ୍ୟ ବାତ୍ୟା ଓ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ମହିଧରପୁର ପ୍ରସିଦ୍ଧ କାର୍ତ୍ତିକେଶ୍ୱର ପୂଜା ମଣ୍ଡପ ଓ ତୋରଣର ସୁରକ୍ଷା ନେଇ କଡ଼ା ନିର୍ଦ୍ଦେଶ ଜାରି କରିଛି ବଅଁରପାଳ ଥାନା ପୋଲିସ। ପ୍ରତ୍ୟେକ ପୂଜା କମିଟିକୁ ବୈଧ ଷ୍ଟ୍ରକଚରାଲ୍ ସାର୍ଟିଫିକେଟ୍ ହାସଲ କରି ଏହାର ନକଲ ଥାନାରେ ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି।
ଏନେଇ ଏସ୍ଡିପିଓ ରମାକାନ୍ତ ମହାଳିକ ଓ ଥାନା ଅଧିକାରୀ ଅୟସ କାନ୍ତ ଜେନା ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରି କମିଟି କର୍ମକର୍ତ୍ତାଙ୍କୁ ସୁରକ୍ଷା ନିୟମ ପାଳନ ପାଇଁ ପରାମର୍ଶ ଦେଇଛନ୍ତି।
ମଣ୍ଡପର ପିଲର, ଛାତ ଓ ଢାଞ୍ଚାକୁ ମଜଭୁତ କରିବା ସହ ବିଦ୍ୟୁତ୍ ସଂଯୋଗ ସୁରକ୍ଷିତ ରଖିବା, ଢିଲା ବ୍ୟାନର ଓ ହୋର୍ଡିଂ ହଟାଇବାକୁ ନିର୍ଦ୍ଦେଶ ରହିଛି। ପ୍ରବଳ ପବନ ସମୟରେ ଅସୁରକ୍ଷିତ ମଣ୍ଡପରେ ଭିଡ଼ ନିୟନ୍ତ୍ରଣ ଓ ଆବଶ୍ୟକସ୍ଥଳେ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ କୁହାଯାଇଛି। ନିୟମ ଉଲ୍ଲଂଘନ ହେଲେ ମଣ୍ଡପରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗିପାରେ ବୋଲି ପୋଲିସ ସ୍ପଷ୍ଟ କରିଛି।















