ଅନୁଗୋଳରେ ଗଞ୍ଜେଇ ଚାଷ ଉପରେ ପୋଲିସର ମହାଅଭିଯାନ: ୧୨ ଏକର ଜମିରୁ ମିଳିଲା ୩୮ ହଜାର ଗଛ, ୭ ଅଭିଯୁକ୍ତ ଗିରଫ

You are currently viewing ଅନୁଗୋଳରେ ଗଞ୍ଜେଇ ଚାଷ ଉପରେ ପୋଲିସର ମହାଅଭିଯାନ: ୧୨ ଏକର ଜମିରୁ ମିଳିଲା ୩୮ ହଜାର ଗଛ, ୭ ଅଭିଯୁକ୍ତ ଗିରଫ

ଅନୁଗୋଳ: ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଲୁଚାଛପାରେ ଚାଲିଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ଅନୁଗୋଳ ପୋଲିସର ଶକ୍ତ ପ୍ରହାର। ଜରପଡ଼ା ଓ ବାଗଡ଼ିଆ ଥାନା ଅଞ୍ଚଳରେ ଏକକାଳୀନ ଚଢ଼ାଉ କରି ପ୍ରାୟ ୧୨ ଏକର ଜମିରେ ହୋଇଥିବା ୩୮ ହଜାର ଗଞ୍ଜେଇ ଗଛକୁ ନଷ୍ଟ କରିଛି ପୋଲିସ। ଏହି ବେଆଇନ ଚାଷ ସହ ସମ୍ପୃକ୍ତ ୭ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।

ଅନୁଗୋଳ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିବା ଏହି ସ୍ୱତନ୍ତ୍ର ଅଭିଯାନରେ ତିନି ପ୍ଲାଟୁନ୍ ପୋଲିସ ଫୋର୍ସ ସହ ପ୍ରାୟ ୨୦ ଜଣ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ। ଏସଡିପିଓଙ୍କ ସମେତ ଜରପଡ଼ା ଓ ବାଗଡ଼ିଆ ଥାନାଧିକାରୀ ଅଭିଯାନର ନେତୃତ୍ୱ ନେଇଥିଲେ।

ପୋଲିସର ସୂଚନା ଅନୁଯାୟୀ, ବାଗଡ଼ିଆ ଥାନା ଅଞ୍ଚଳରେ ୨ ଏକର ଜମିରେ ଚାଷ ହୋଇଥିବା ୧୦ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଏନେଇ ବାଗଡ଼ିଆ ଥାନାରେ କେସ୍ ନଂ ୩୭୭/୨୦୨୬ ରୁଜୁ ହୋଇଥିବାବେଳେ ୪ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।
ଅନ୍ୟପକ୍ଷରେ ଜରପଡ଼ା ଥାନା ଅଞ୍ଚଳରେ ୧୦ ଏକର ଜମିରୁ ୨୮ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଏହି ଘଟଣାରେ ଜରପଡ଼ା ଥାନା କେସ୍ ନଂ ୫୫୬/୨୦୨୬ ରୁଜୁ କରି ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଉଭୟ ମାମଲା ଏନଡିପିଏସ୍ ଆଇନର ଧାରା ୨୦(ଏ)(i)/୨୯ ଅନୁଯାୟୀ ରୁଜୁ ହୋଇଛି।

ବେଆଇନ ନିଶାଦ୍ରବ୍ୟ ଚାଷ ଓ କାରବାରକୁ ମୂଳପୋଛ କରିବା ସହ ଏହା ପଛରେ ଥିବା ନେଟୱର୍କକୁ ଠାବ କରିବା ଦିଗରେ ପୋଲିସର ଅଭିଯାନ ଜାରି ରହିବ। ଏହି କାରବାରରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ତଦନ୍ତ ଚାଲିଥିବା ଜଣାପଡ଼ିଛି।

Share

Leave a Reply