ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ନନ୍ଦପୁର ପଞ୍ଚାୟତର କରଡାସିଙ୍ଗଠାରେ ପ୍ରସ୍ତାବିତ ବହୁ ପ୍ରତୀକ୍ଷିତ ହିଡିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଏନଟିସିଏ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ପ୍ରକଳ୍ପ ଯୋଗୁଁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଓ ବାଘଙ୍କ ଚଳପ୍ରଚଳ ଉପରେ ପ୍ରଭାବ ନେଇ ଗୁରୁବାର ଏକ ଉଚ୍ଚସ୍ତରୀୟ ଟିମ୍ ସ୍ଥିତି ଅନୁଧ୍ୟାନ କରିଛି।
ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ସଞ୍ଜୟ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏବଂ ଡିଏଫଓ ନୀତିଶ କୁମାରଙ୍କ ଉପସ୍ଥିତିରେ ଏନଟିସିଏର ଡ. ବିଭାସ ପାଣ୍ଡଭ, ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ବୈଜ୍ଞାନିକ, ଜଳ ଅନୁସନ୍ଧାନ ବିଭାଗ କଟକର ଅଧୀକ୍ଷଣ ଯନ୍ତ୍ରୀ ସୌମ୍ୟକ ବିକାଶ ସୁବୁଦ୍ଧି, ଭୁବନେଶ୍ୱରର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ବିପ୍ଳବ କିଶୋରୀ ସାହୁ, ସିଏମସି ଏଜେନ୍ସିର ବି.ଏନ. ପଟ୍ଟନାୟକ ଓ ସହକାରୀ ଯନ୍ତ୍ରୀ ମନୋଜ ନନ୍ଦ ପ୍ରମୁଖ ପ୍ରକଳ୍ପ ସ୍ଥଳ, ସାତକୋଶିଆ ଇକୋ ସେନ୍ସିଟିଭ୍ ଜୋନ୍ ଓ ବଉଳି ନାଳ ଅଞ୍ଚଳ ପରିଦର୍ଶନ କରିଥିଲେ।
ପ୍ରକଳ୍ପ ଯୋଗୁଁ ବୁଡ଼ିବାକୁ ଥିବା ସୁଇଟି ଗ୍ରାମବାସୀଙ୍କ ସହ ବିସ୍ଥାପନ, ସେହି ପଞ୍ଚାୟତରେ ଥଇଥାନ, ଜମି ଓ ଗଛର କ୍ଷତିପୂରଣ, ଏକର ପିଛା ମିଳିବାକୁ ଥିବା ଅର୍ଥ ଏବଂ ପରିବାର ସଂଖ୍ୟା ବୃଦ୍ଧି ନେଇ ପୁନଃ ସର୍ଭେ ସମ୍ପର୍କରେ ଆଲୋଚନା ହୋଇଥିଲା। ଜଙ୍ଗଲ ଅଞ୍ଚଳରେ ପଥର ସୋଲିଂରେ ଦୁଇଟି କେନାଲ ନିର୍ମାଣ ଓ ପ୍ରତି ୨୦୦ ମିଟରରେ ପାହାଚ ନିର୍ମାଣ ପାଇଁ ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ପ୍ରସ୍ତାବ ଦେଇଥିବା ବେଳେ ପର୍ଯ୍ୟଟନ ସ୍ଥଳୀ ବିକାଶ ଓ ବିକଳ୍ପ ରାସ୍ତା ନିର୍ମାଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ଏଥିରେ ହିଡିସିଙ୍ଗ ପ୍ରକଳ୍ପ କୃଷକ ମହାସଂଘ ସଭାପତି ଦିନେଶ ଦେହୁରୀ, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପ୍ରଭାତ ପ୍ରଧାନ, ନନ୍ଦପୁର ସରପଞ୍ଚ ଜଗବନ୍ଧୁ ସାହୁ, ବଡ଼କେରା ମଣ୍ଡଳ ସଭାପତି ସୁଲଭ ଦେହୁରୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହାଡ଼ିବନ୍ଧୁ ଦେହୁରୀ, ଲକ୍ଷ୍ମଣ ସାହୁ ଓ ଆଶୁତୋଷ ପ୍ରଧାନଙ୍କ ସମେତ ଚାଷୀମାନେ ଉପସ୍ଥିତ ଥିଲେ।
ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ସଞ୍ଜୟ ସ୍ୱାଇଁ କହିଛନ୍ତି, ପ୍ରକଳ୍ପ ନିର୍ମାଣ ପାଇଁ ବର୍ତ୍ତମାନ କୌଣସି ପ୍ରତିବନ୍ଧକ ନାହିଁ ଏବଂ ସର୍ଭେ କାର୍ଯ୍ୟ ଶେଷ ହୋଇଛି। ଏନଟିସିଏ ଟିମ୍ ବିଭିନ୍ନ ଦିଗରୁ ଅନୁଧ୍ୟାନ କରି ଆବଶ୍ୟକ ପରାମର୍ଶ ଦେଇଛି। ଏହାକୁ ନେଇ ଦୀର୍ଘଦିନ ଧରି ଅପେକ୍ଷା କରିଥିବା ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି।















