ଅନୁଗୁଳ: ଅନୁଗୁଳର ଇଙ୍କରବନ୍ଧ ପଞ୍ଚାୟତ ଅନ୍ତର୍ଗତ ନୂଆପଡ଼ା ଗାଁରେ ତାଙ୍କର ଜନ୍ମ। ବଲାସିଂହା ପରେ ଚମ୍ପତ୍ତିମୁଣ୍ଡା ଜୀବନ ବିଦ୍ୟାଳୟରେ କଟିଥିଲା ଛାତ୍ର ଜୀବନ।ପିଲାଦିନେ ଭଲ ଗୀତ ଗାଉଥିବା ଓ ଚିତ୍ରଆଙ୍କୁ ଥିବା ଦେଖି ମାଳତୀ ଚୌଧୁରୀ କହିଲେ – ତୁ ଶାନ୍ତି ନିକେତନରେ ଯାଇ ପଢ଼, ତୁ ନା କରିବୁ, ତୋର ଖାଇବା ପିଇବା,ରହିବା କଥା ମୁଁ ବୁଝିବି। ସେଇ ପିଲାଟି ମାଳତୀ ଦେବୀଙ୍କ କଥା ମାନି ଚାଲିଗଲା ଆଉ ଜଣେ ସୁନାମଧନ୍ୟ ଚିତ୍ରକର ଭାବେ ପରିଚିତ ହେଲା। ସେଇ ପିଲାଟି ଶେଷରେ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର ବସନ୍ତ କନ୍ୟା ମହିଳା ମହାବିଦ୍ୟାଳୟରେ ଜଣେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ଶାନ୍ତିନିକେତନ ବିଶ୍ଵଭାରତୀରେ ସେ ଫାଇନ ଆର୍ଟସ୍ରେ ସ୍ନାତକୋତ୍ତର ଓ ଶାସ୍ତ୍ରୀୟ ଯନ୍ତ୍ର ସଙ୍ଗୀତରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ନବକୃଷ୍ଣ ଓ ମାଳତୀ ଦେବୀଙ୍କୁ ନିଜର ଆଦର୍ଶ ମାନୁଥିବା ଲମ୍ବୋଦର ଉକ୍ତ କଲେଜ୍ରୁ ଆସୋସିଏଟ ପ୍ରଫେସର ପଦବୀରେ କାର୍ଯ୍ୟ କରି ଅବସର ନେଇଥିଲେ। ଲମ୍ବୋଦରଙ୍କ ତୈଳ ଚିତ୍ରରେ ଆଧୁନିକ ମଣିଷର ସଂଘର୍ଷ,ପ୍ରକୃତି,ପରମ୍ପରା ଓ ଆଧୁନିକତାକୁ ନେଇ ସୃଷ୍ଟି ହେଉଥିବା ଦ୍ଵନ୍ଦ ବେଶ ପ୍ରସ୍ଫୁଟିତ ହୋଇଥାଏ।ଦିଲ୍ଲୀ,ବମ୍ବେ,କଲିକତା ଓ ଅନ୍ୟ ବହୁ ସହରରେ ତାଙ୍କର ଚିତ୍ରକଳା ପ୍ରଦର୍ଶିତ ହୋଇ ଅନେକ ପ୍ରଶଂସା ସାଉଁଟିଛି।ଅବସରପରେ ବି ଚିରକୁମାର ଲମ୍ବୋଦର ନିଜ ତୁଳିକୁ ବିରାମ ଦେଇ ନାହାନ୍ତି। ଭୁବନେଶ୍ବରରେ ଏକ ପ୍ରଦର୍ଶନୀ କରିବା ପାଇଁ ସେ ଏବେ ବ୍ୟସ୍ତ ଅଛନ୍ତି।
1
f600b249-5c54-442c-a949-d6bc81000fab