ଅନୁଗୁଳ: ଛେଣ୍ଡିପଦା ଥାନା ପାଟକମୁଣ୍ଡା ଗାଁରେ ଜମିବାଡ଼ି ଯୋଗୁଁ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଘରେ ପଶି ଆକ୍ରମଣ କରିବାରୁ ଗୋଟିଏ ପରିବାରର ୪ଜଣ ଆହତ ହୋଇଛନ୍ତି। ତାଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ସୂତ୍ରରୁ ପ୍ରକାଶ, ଗାଁର କାଠିଆ ସାହୁ(୬୫) ଓ ତାଙ୍କ କୁଟୁମ୍ବର ପ୍ରଫୁଲ୍ଲ ସାହୁ(୫୭)ଙ୍କ ପରିବାର ମଧ୍ୟରେ ଜମି ଯୋଗୁଁ ବିବାଦ ଲାଗିରହିଛି। ଗତକାଲି ଅପରାହ୍ନ ପ୍ରାୟ ସାଢ଼େ ୪ଟାବେଳେ ପ୍ରଫୁଲ୍ଲ ସାହୁ, ତାଙ୍କ ପୁଅ ରିଙ୍କୁ(୨୮), ସାନପୁଅ ଡୁନୁ(୨୮) ଓ ପତ୍ନୀ ଟାଙ୍ଗିଆ, କାଙ୍କ, ଟାଙ୍ଗି ଧରି କାଠିଆ ସାହୁଙ୍କ ଘରେ ପଶି ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। କାଠିଆଙ୍କ ପରିବାର ଲୋକେ ବିରୋଧ ସତ୍ତ୍ବେ ସେମାନଙ୍କୁ ଅଟକାଇ ପାରିନଥିଲେ। ଆକ୍ରମଣରେ କାଠିଆ, ତାଙ୍କ ସାନପୁଅ ବାପି(୩୩), ସାନବୋହୂ ବିଳାସିନୀ (୨୭), ବଡ଼ପୁଅ ଯୁଧିଷ୍ଠିର(୩୬) ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯୁଧିଷ୍ଠିରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କାଠିଆଙ୍କ ପରିବାର ସଦସ୍ୟ ଏ ସଂପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି |
ଜମିବାଡ଼ି ବିବାଦରୁ ଆକ୍ରମଣ, ୪ ଆହତ
- Post published:May 16, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
