ଅନୁଗୁଳ: ବିଦ୍ୟୁତ୍ ବିଲରୁ ମୁକ୍ତି ପାଇବା ପାଇଁ ହୁକ ପକାଇ ନେଇଥିଲେ ବିଜୁଳି। ବିଦ୍ୟୁତ୍ କର୍ମଚାରୀ ଜାଣିବା ପରେ ଚଢ଼ାଉ ବେଳେ କର୍ମଚାରୀଙ୍କୁ ଦୁବ୍ୟବହାର କରିବା ସହ ବିଦ୍ୟୁତ୍ ବିଭାଗ ଗାଡ଼ିର କାଚ ଭାଙ୍ଗିଦେଲେ। ସୋମବାର ପୂର୍ବାହ୍ନରେ ଅନୁଗୁଳ ସହର ଉପକଣ୍ଠ କରବେରେଣୀ ଗ୍ରାମରେ ଏଭଳି ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିଦ୍ୟୁତ୍ କର୍ମଚାରୀ ଏନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏତଲା କ୍ରମେ ପୁଲିସ୍ ମାମଲା ରୁଜ୍ଜୁ କରି ଦୁଇ ଜଣ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ଵୟ କରବେରେଣୀ ଗ୍ରାମର ରାଜଶ୍ରୀ ସାହୁ ଓ ଶୋଭାଗିନୀ ସାହୁ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ପୁଲିସ୍ ସୂଚନା ଅନୁଯାୟୀ, ଟିପିସିଓଡିଏଲ୍ ସେକ୍ସନ- ୩ର ଜେଇ ବିନାୟକ ସାହୁ ଷ୍ଟାଫ୍ଙ୍କ ସହ ମିଶି ସୋମବାର ପୂର୍ବାହ୍ନରେ କରବେରେଣୀ ଇଲାକାରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ କରବେରେଣୀ ଗ୍ରାମର ସୁଧିର ସାହୁ ନାମକ ଜଣେ ବ୍ୟକ୍ତି ଚୋରାରେ ବିଜୁଳି ଜାଳୁଥିବା ଖବର ପାଇଥିଲେ। ଅଭିଯୋଗ ପାଇ ସେ ସଦଳବଳ ତାଙ୍କ ଘରେ ଚଢ଼ାଉ କରିଥିଲେ । ମାତ୍ର ଏହି ଚଢ଼ାଉ ତାଙ୍କ ପାଇଁ ମହଙ୍ଗା ପଡ଼ିଥିଲା। ବିଦ୍ୟୁତ୍ ଚୋରି ଧରା ପଡ଼ିବା ସତ୍ତ୍ଵେ ବିଦ୍ୟୁତ୍ କର୍ମଚାରୀଙ୍କୁ ନାଲି ଆଖି ଦେଖାଇଥିଲେ ଦୁଇ ଅଭିଯୁକ୍ତ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତ ଦୁଇ ମହିଳା ବିଦ୍ୟୁତ୍ କର୍ମଚାରୀଙ୍କ ଖାତା ବହି ଫିଙ୍ଗା ଫୋପଡ଼ା କରିଥିଲେ। ପଥରରେ ବିଦ୍ୟୁତ୍ କର୍ମଚାରୀଙ୍କ ଗାଡ଼ିର କାଚ ଭାଙ୍ଗି ଦେଇଥିଲେ। ଏମିତିକି ଦୀର୍ଘ ସମୟ ସେମାନଙ୍କୁ ଅଟକ ରଖିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଘଟଣାସ୍ଥଳରେ ଭିଡ଼ ଲାଗିଥିଲା। ବିଦ୍ୟୁତ୍ କର୍ମଚାରୀ କୌଶଳ କରି ସେମାନଙ୍କ କବଳରୁ ପଳାଇ ଆସି ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି।
ବିଦ୍ୟୁତ୍ କର୍ମଚାରୀଙ୍କୁ ଆକ୍ରମଣ,ଗାଡ଼ିର କାଚ ଭାଙ୍ଗିଦେଲେ
- Post published:November 23, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul