ଅନୁଗୁଳରେ ଅକ୍ଷୟ ସଙ୍ଗୀତ ଚର୍ଚ୍ଚା

You are currently viewing ଅନୁଗୁଳରେ ଅକ୍ଷୟ ସଙ୍ଗୀତ ଚର୍ଚ୍ଚା

ଅନୁଗୁଳ: ଅନୁଗୁଳ ଅକ୍ଷୟ ଗ୍ରୁପ୍ ପକ୍ଷରୁ ଆଜି ସ୍ଥାନୀୟ ଧର୍ମଶାଳା ଠାରେ ଅକ୍ଷୟ ସଙ୍ଗୀତ ଚର୍ଚ୍ଚା ଆୟୋଜିତ ହୋଇଯାଇଛି। ଓଡ଼ିଆ ସଙ୍ଗୀତ ଜଗତର ବାଦଶାହ ଅକ୍ଷୟ ମହାନ୍ତିଙ୍କ ଦ୍ୱାବିଂଶ ପୁଣ୍ୟ ତିଥି ଅବସରରେ ଆୟୋଜିତ ଏହି ସମାରୋହକୁ ଆଡଭୋକେଟ୍ ଦୀପକ ପାଣି,ଉମେଶ ପାଣି ଏବଂ ଅଜିତ ପଟ୍ଟନାୟକ ଉଦ୍ଘାଟନ କରିଥିଲେ।ସଂସ୍ଥାର ମୁଖ୍ୟ ସୁଧୁରେନ୍ଦ୍ର ପରିଜାଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଅକ୍ଷୟ ସାହିତ୍ୟ ଓ ଅକ୍ଷୟ ସଙ୍ଗୀତ ଉପରେ ଚର୍ଚ୍ଚା ହୋଇଥିଲା।

କବୟିତ୍ରୀ ଇନ୍ଦିରା ଦାସ ଅକ୍ଷୟଙ୍କୁ ଓଡ଼ିଆ ସଙ୍ଗୀତର ଯୁଗ ପୁରୁଷ ବୋଲି କହିବା ସହ ତାଙ୍କ ସଙ୍ଗୀତର ସମ୍ମୋହନ ଶକ୍ତି ବାବଦରେ ଆଲୋକପାତ କରିଥିଲେ। ଅନ୍ୟତମ ଆଲୋଚକ ସଂଘମିତ୍ରା ପ୍ରଧାନ ଅକ୍ଷୟ ସଙ୍ଗୀତରେ ଆଧୁନିକତା , ପ୍ରେମ ଓ ବିରହ ଉପରେ ଆଲୋକପାତ କରିଥିଲେ।ଶିକ୍ଷାବିତ୍ ଡ଼ା ଅକ୍ଷୟ କୁମାର ପଣ୍ଡା ଅକ୍ଷୟଙ୍କ ସମ୍ବଲପୁରୀ ଗୀତର ଛଟକା ଓ ତାଙ୍କ ସଙ୍ଗୀତର ସାର୍ବଜନୀନ ଗ୍ରହଣୀୟତା ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଶିକ୍ଷାବିତ ସରୋଜ ପାଣିଗ୍ରାହୀ ଅକ୍ଷୟ ଙ୍କ ସାମଗ୍ରିକ କୃତି ଉପରେ ଆଲୋଚନା କରିଥିଲେ।

ଏହାପରେ ସୃଷ୍ଟି ସଙ୍କେତା ପରିଜାଙ୍କ ସଂଯୋଜନାରେ ଅକ୍ଷୟ ସଙ୍ଗୀତ ସନ୍ଧ୍ୟା ଆରମ୍ଭ ହୋଇଥିଲା। ବହୁ ତରୁଣ ଓ ପ୍ରବୀଣ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ ଲୋକପ୍ରିୟ ଗୀତ ପରିବେଷଣ କରିଥିଲେ। ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ଅକ୍ଷୟ ପ୍ରେମୀ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Share

Leave a Reply