ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

You are currently viewing ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଅନୁଗୁଳ: ଭାରତୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଡଃ. ଭୀମ ରାଓ ରାମଜୀ ଆମ୍ବେଦକରଙ୍କ ୧୩୩ ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ଆଜି ପୂର୍ବାହ୍ନରେ ବଅଁରପାଳ ସେବାଶ୍ରମ ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସେବାଶ୍ରମ ପରିସରରେ ଆୟୋଜିତ ଉତ୍ସବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଦିଲ୍ଲିପ କୁମାର ମିଶ୍ର ଯୋଗ ଦେଇ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ଉପସ୍ଥିତ ଛାତ୍ରୀମାନଙ୍କୁ ବାବା ସାହେବ ଆମ୍ବେଦକରଙ୍କ ମହାନ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରିଥିଲେ। ବାବା ସାହେବ ଆମ୍ବେଦକରଙ୍କ ଜୀବନର ବିଭିନ୍ନ ଦିଗ ଓ ଆଧୁନିକ ଭାରତର ଗଠନ ନିମନ୍ତେ ତାଙ୍କ ଅତୁଳନୀୟ ଅବଦାନକୁ ସ୍ମରଣ କରିଥିଲେ । ମୁଖ୍ୟତଃ ଅନୁସୁଚିତ ଜାତିର ଉତ୍ଥାନ ନିମନ୍ତେ କରିଥିବା ସଂଘର୍ଷ ଉପରେ ସେ ଗୁରୁତ୍ବାରୋପ କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାଏକ ଯୋଗ ଦେଇ କହିଥିଲେ ଯେ ବାବାସାହେବ ଆମ୍ବେଦକରଙ୍କ ଜୀବନର ମୂଳ ଲକ୍ଷ୍ୟ ଥିଲା ଦଳିତ, ଶୋଷିତ, ନିଷ୍ପେଷିତ, ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକମାନଙ୍କୁ ଶିକ୍ଷା ମାଧ୍ୟମରେ ସଚେତନ କରାଇ ସମାଜର ଊର୍ଜ ବର୍ଗର ଲୋକମାନଙ୍କ ସହିତ ବଞ୍ଚିବାର ସମାନ ଅଧିକାର ପ୍ରଦାନ କରିବା । ଭାରତରେ ବିତ୍ତୀୟ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ତାଙ୍କ ପ୍ରଚେଷ୍ଟାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ସ୍ଥାପନା କରାଯାଇଥିଲା ବୋଲି ସେ ମନେ ପକାଇଥିଲେ । କାର୍ଯ୍ୟକ୍ରମର ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଜୟନ୍ତୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ସେବାଶ୍ରମର ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣିମା ପାତ୍ର, ସେବାଶ୍ରମର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ସହକାରୀ କର୍ମଚାରୀଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀମାନେ ଊପସ୍ଥିତ ଥିଲେ ।

Share

Leave a Reply