ଅନୁଗୁଳ: ଅନୁଗୁଳ ଜିଲ୍ଲା ବଗଚର ଗାଁରେ ନାଲ୍କୋର ବିଷାକ୍ତ ପାଉଁଶ ମିଶ୍ରିତ ପାଣି ଯୋଗୁଁ ଆତଙ୍କ ଦେଖାଦେଇଛି। କମ୍ପାନୀର ବର୍ଜ୍ୟଜଳ ନନ୍ଦିରା ନାଳରେ ମିଶୁଥିବା ବେଳେ, ଅନ୍ୟ ବିକଳ୍ପ ନଥିବାରୁ ଏହି ପାଣି ବ୍ୟବହାର କରି ଗାଁର ପ୍ରାୟ ସମସ୍ତେ ଗମ୍ଭୀର ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି।
ଗ୍ରାମବାସୀଙ୍କ ଶରୀରରେ କ୍ଷତ, କୁଣ୍ଡିଆ ଓ ପ୍ରବଳ ଫୁଲା ଦେଖାଦେଉଛି। ଔଷଧ ଖାଇଲେ ମଧ୍ୟ ସେହି ଦୂଷିତ ପାଣି ବ୍ୟବହାର ଯୋଗୁଁ ରୋଗ ଭଲ ହେଉନାହିଁ। ସେହିପରି ବିଷାକ୍ତ କେନାଲ ପାଣି ପିଇ ଗାଈଗୋରୁଙ୍କର ଫାଟୁଆ ଓ ପେଟରୋଗ ହେଉଛି, ଯାହାଫଳରେ ଅନେକ ପଶୁ ପ୍ରାଣ ହରାଉଛନ୍ତି। ନନ୍ଦିରା ନାଳ ଦେଇ ଏହି ପାଉଁଶ ପାଣି ବ୍ରାହ୍ମଣୀ ନଦୀରେ ମିଶି ଜଳ ପ୍ରଦୂଷଣ ବଢ଼ାଉଛି।
ବାରମ୍ବାର ଅଭିଯୋଗ ସତ୍ତ୍ୱେ ନାଲ୍କୋ କର୍ତ୍ତୃପକ୍ଷ ଏଥିପ୍ରତି କୌଣସି ପଦକ୍ଷେପ ନେଉ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।


