ଅନୁଗୁଳ: ନୁମା ବାପିଙ୍କ ହାତଗଢା ଅନୁଷ୍ଠାନ ଐତିହାସିକ ବାଜି ରାଉତ ଛାତ୍ରାବାସର ୭୬ତମ ଜନ୍ମଦିବସ ଆଶ୍ରମ ପରିସରରେ ବୁଧବାର ପାଳିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ କୃଷ୍ଣା ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହକୁ ଅବସରପ୍ରାପ୍ତ ସିଡ଼ିଏମଓ ଡ଼ା ବିଛନ୍ଦ ଚରଣ ପ୍ରଧାନ ଉଦଘାଟନ କରିଥିଲେ। ମୁଖ୍ୟଅତିଥି ଡ଼ା ପ୍ରଧାନ ଓଡ଼ିଶାର ଶାନ୍ତିନିକେତନ କୁହାଯାଉଥିବା ବାଜିରାଉତ ଛାତ୍ରବାସର ପରିକଳ୍ପନା ୧୯୪୭ ମସିହା ମେ ୧୧ ତାରିଖ ଦିନ କିଭଳି ଫଳବତୀ ହୋଇଥିଲା ତାହା ବର୍ଣ୍ଣନା କରିଥିଲେ। ଓଡ଼ିଶାର ତତ୍କାଳୀନ ପ୍ରଧାନ ମନ୍ତ୍ରୀ ହରେକୃଷ୍ଣ ମହତାବ, ସାରଙ୍ଗ ଧର ପ୍ରଧାନ, ପବିତ୍ର ମୋହନ ପ୍ରଧାନ ପ୍ରମୁଖ ଉଦଘାଟନୀ ସମାରୋହରେ ଯୋଗଦେଇ ମାଳତୀ ଦେବୀଙ୍କ ଛାତ୍ରା ବାସ ପ୍ରତିଷ୍ଠା ଆଭିମୁଖ୍ୟର ଉଚ୍ଚ ପ୍ରଶଂସା କରିଥିଲେ।ସମାରୋହରେ ସମ୍ମ।ନିତ ଅତିଥି ରୂପେ ନିତିଦିନ ଖବର କାଗଜର ମୁଖ୍ୟ ସମ୍ପାଦକ ମନୋଜ ମହାପାତ୍ର ଏବଂ ଶିକ୍ଷାବିତ ବୈଷ୍ଣବ ଚରଣ ମହାନ୍ତି ଯଥାକ୍ରମେ ସମ୍ମାନିତ ଅତିଥି ଓ ମୁଖ୍ୟ ବକ୍ତା ରୂପେ ଯୋଗ ଦାନ କରି ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶ ଅନୁସାରେ କିଭଳି ମୌଳିକ ଶିକ୍ଷା ଛାତ୍ର ଛାତ୍ରୀଙ୍କୁ ଦିଆ ଯାଉଥିଲା ତାହା ବର୍ଣ୍ଣନା କରିଥିଲେ। କୃଷ୍ଣା ମହାନ୍ତି ବାଜିରାଉତ ଛାତ୍ରବାସ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ଆଜି ବି ପରିଚୟ ହରାଇ ନଥିବା କହିଥିଲେ। ପ୍ରତିଷ୍ଠା ଦିବସରେ ସକାଳେ ପ୍ରାର୍ଥନା, ସାମୁହିକ ସଫେଇ , ପୁସ୍ତକ ପ୍ରଦର୍ଶନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କବୟିତ୍ରୀ ଇନ୍ଦିରା ଦାଶ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ସମ୍ପାଦକ ଭାବଗ୍ରାହୀ ନାଏକ ଓ ପୁରାତନ ଛାତ୍ର ସଂସଦ ସମ୍ପାଦକ ଶିବରାମ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।
ନୁମା ବାପିଙ୍କ ହାତଗଢା ଅନୁଷ୍ଠାନର ୭୬ ତମ ଜନ୍ମଦିନ
- Post published:May 11, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul