ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କରତପଟା ଛକ ନିକଟରେ ଥିବା ଏକ ମଦ ଦୋକାନରେ ଏକ୍ସପାୟାରି ଡେଟ ନ ଥିବା ମଦ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଏ ନେଇ ପାଞ୍ଚ ଦିନ ହେଲାଣି ବନ୍ତଳା ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଜଣାଯାଇଛି। ଆଜି ଅନୁଗୁଳ ଓକିଲ ସଂଘ ସଭାପତି ଦିଲ୍ଲୀପ ସାହୁଙ୍କ ନେତୃତ୍ୱରେ ବନ୍ତଳା ଥାନାରେ ୩୦ରୁ ଅଧିକ ଓକିଲ ପହଞ୍ଚି ଥାନା ଘେରାଉ କରିବା ସହ ଥାନା ଅଧିକାରିଣୀ ସଙ୍ଗୀତା ମହାପାତ୍ରଙ୍କଙ୍କ ସହ ଆଲୋଚନା କରିଥିଲେ। ଶ୍ରୀମତୀ ମହାପାତ୍ର ଦୁଇ ତିନିଦିନ ପରେ ଘଟଣାର ତଦନ୍ତ କରି ରେଜିଷ୍ଟ୍ରେସନ କରିବେ ବୋଲି କହିଥିବା ଜଣାପଡ଼ିଛି।
ସୂଚନା ମୁତାବକ, ଏହି ଦୋକାନରେ ଏକ୍ସପ୍ୟାରି ଡେଟ୍ ଚାଲି ଯାଇଥିବା ମଦ ବିକ୍ରି ହେଉଥିବା ଅଭିଯୋଗ ପାଇ ତୁରଙ୍ଗ ଗ୍ରାମର ଓକିଲ ପ୍ରେମାନନ୍ଦ ସାହୁ ତାଙ୍କର ଦୁଇଜଣ ସାନ ଭାଇଙ୍କୁ ସେହି ଦୋକାନକୁ ମଦ କିଣିବାକୁ ପଠାଇଥିଲେ। ସେମାନେ ମଦ କିଣିବା ପରେ ମଦର ଏକ୍ସପ୍ୟାରି ଡେଟ୍ ନଥିବା ଦେଖିବାକୁ ପାଇଥିଲେ ଏବଂ ଏ ବିଷୟରେ ପ୍ରେମାନନ୍ଦଙ୍କୁ ଜଣାଇ ଥିଲେ। ଓକିଲ ପ୍ରେମାନନ୍ଦ ଏ ବିଷୟରେ ଅନୁଗୁଳ ଓକିଲ ସଂଘର ସଭାପତିଙ୍କୁ ଅବଗତ କରାଇଥିଲେ।
ସଭାପତିଙ୍କ ନିର୍ଦ୍ଦେଶରେ କିଛି ଓକିଲ ଉକ୍ତ ମଦ କାଉଣ୍ଟରକୁ ଯାଇ ସତରେ ମଦର ଏକ୍ସପ୍ୟାରି ଡେଟ୍ ନଥିବା ଦେଖିବାକୁ ପାଇଥିଲେ। ସେମାନେ ସେହି ଦୋକାନ ନାମରେ ବନ୍ତଳା ଥାନାରେ ୨୯/୦୬/୦୨୪ ରିଖ ଦିନ ଲିଖିତ ଅଭିଯୋଗ କରିଥିଲେ, କିନ୍ତୁ ଘଟଣାର ପାଞ୍ଚ ଦିନ ବିତିଥିଲେ ମଧ୍ୟ ସୁଦ୍ଧା କେସ୍ ରେଜିଷ୍ଟ୍ରେସନ ହୋଇନଥିବାରୁ ଓକିଲ ସଂଘ ଥାନା ଅଧିକାରିଣୀଙ୍କ ସହ ଆଲୋଚନା କରିଛନ୍ତି।