ଅନୁଗୁଳ: ବାସନ୍ତୀ ଦୁର୍ଗାପୂଜା ପଡିଆରେ ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ତ୍ରି ଦିବସୀୟ ରାଜ୍ୟସ୍ତରୀୟ ବାସନ୍ତୀ ଦୁର୍ଗା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଭଦ୍ରକର ଯୁବ ଖେଳାଳୀ ମାନେ ଭୁବନେଶ୍ବରର ଅଭିଜ୍ଞ ଖେଳାଳୀଙ୍କୁ ସଂଘର୍ଷପୂର୍ଣ୍ଣ ୩-୨ ସେଟ୍ରେ ହରାଇ ଚମ୍ପିୟାନ ଆଖ୍ୟା ଅର୍ଜନ କରିବା ସହ ଟ୍ରଫି ଓ ନଗଦ ଅର୍ଥ ରାଶି ପାଇଥିଲା। ଭଦ୍ରକର ସମ୍ବିତ ଓ ଭୁବନେଶ୍ବରର ଆଫଜଲ ଯଥାକ୍ରମେ ମ୍ୟାନ ଅଫ ଦି ମ୍ୟାଚ୍ ଓ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ହାତେଇ ଥିଲେ।
ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଅନୁଗୁଳ କ୍ରିକେଟ ଆସୋସିଏସନ୍ର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ। ସମ୍ମାନିତ ଅତିଥି ଭାବେ ପୌର ଉପାଧ୍ୟକ୍ଷା ଶ୍ରୀମତୀ ଅନୁପମା ସାହୁ,ଜିଲ୍ଲା କ୍ରୀଡା ସଂସଦ ସଭାପତି ଡ଼ା ଗୌର ଗୋବିନ୍ଦ ସାମନ୍ତ,ସଦସ୍ୟ ଆଇନଜୀବି ପ୍ରଦୀପ ଦେବତା,ବରିଷ୍ଠ ଭଲିବଲ୍ ଖେଳାଳୀ ଶରତ ଚନ୍ଦ୍ର ପାଣି,କ୍ରୀଡା ସଂଗଠକ ରମେଶ ସାହୁ,ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର ସାହୁ,ଅଭିନେତା ଅମରେଶ ନାଥପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ବାସନ୍ତୀ ଭଲିବଲ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସ୍ମରଣିକା କ୍ରୀଡ଼ା ଶ୍ରୀ କୁ ଉନ୍ମୋଚିତ କରିଥିଲେ। ସୂଚନାଯୋଗ୍ୟ ଯେ, ସେମିଫାଇନାଲରେ ଭଦ୍ରକ ପାରାଦୀପ ପୋର୍ଟକୁ ହରାଇ ଏବଂ ଭୁବନେଶ୍ବର ରାଉରକେଲାକୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଥିଲେ। ବାସନ୍ତୀ ଭଲିବଲ ପକ୍ଷରୁ କ୍ରୀଡାକୁ ପ୍ରୋତ୍ସାହନ ଦେଉଥିବା ବିଭିନ୍ନ କ୍ଳବ୍କୁ ପୁରସ୍କୃତ କରାଯାଇଥିଲା। ସଭାପତି ପ୍ରତାପ ମାଝୀ,ସମ୍ପାଦକ ରଶ୍ମି ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ଖେଳ ପରିଚାଳନା କରିଥିଲେ।