‘ଦ ନାଇଟ୍ ଆଙ୍ଗେଲ ଅଫ୍ ଇଣ୍ଡିଆ’ ନାମରେ ପ୍ରସିଦ୍ଧ ଅର୍ଜନ କରିଥିବା ଦେଶର ପ୍ରଥମ ମହିଳା ରାଜ୍ୟପାଳ ତଥା ସ୍ବାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁଙ୍କର ଆଜି ଜୟନ୍ତୀ। ବ୍ରିଟିଶ ସାମ୍ରାଜ୍ୟର ଅନ୍ତ ଘଟାଇ ଭାରତକୁ ସ୍ବାଧୀନ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଏକାଧାରାରେ ଥିଲେ ଜଣେ କବି, ନାରୀନେତ୍ରୀ, ବାଗ୍ମୀ ଓ ସୁବକ୍ତା। ସରୋଜିନୀ ନାଇଡୁଙ୍କ ଜନ୍ମ ୧୮୭୯ ଫେବୃଆରୀ ୧୩ରେ ହାଇଦ୍ରାବାଦର ଏକ ବଙ୍ଗାଳୀ ପରିବାରରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ଥିଲା ଅଘୋରନାଥ ଚଟ୍ଟୋପାଧ୍ୟୟ। ତାଙ୍କ ପିତା ହାଇଦ୍ରାବାଦର ନିଜାମ କଲେଜରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ସରୋଜିନୀଙ୍କ ମାଆ ବରଦା ସୁନ୍ଦରୀ ଦେବୀ ଜଣେ କବି ଥିଲେ। ଆଠ ଭାଇଭଉଣୀଙ୍କ ମଧ୍ୟରେ ସରୋଜିନୀ ଥିଲେ ସବୁଠାରୁ ବଡ଼। ସରୋଜିନୀ ମାତ୍ର ୧୨ ବର୍ଷ ବୟସରେ ମାଡ୍ରାସ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଥିଲେ। ପରେ ସେ ଲଣ୍ଡନ ଓ ଗ୍ରିଟନ୍ କଲେଜରେ ଅଧ୍ୟୟନ ଜାରି ରଖିଥିଲେ। କବିତାର ବିଭିନ୍ନ ବିଭାଗରେ ନିଜର ଲେଖା ପାଇଁ ସେ ବେଶ ସୁନାମ ଅର୍ଜନ କରିଥିଲେ। ତାଙ୍କର ଉର୍ଦ୍ଦୁ, ତେଲୁଗୁ, ବଙ୍ଗଳା ଓ ପାର୍ସି ଭାଷାରେ ଦଖଲ ଥିଲା। ୧୯ ବର୍ଷ ବୟସରେ ସେ ଡାକ୍ତର ଗୋବିନ୍ଦରାଜୁ ନାଇଡୁଙ୍କୁ ବିବାହ କରିଥିଲେ। ଦୁଇ ଜଣ ଭିନ୍ନ ଭିନ୍ନ ଜାତିର ଥିଲେ ମଧ୍ୟ ସରୋଜିନୀ ଏହାକୁ ମାନି ନଥିଲେ। ତାଙ୍କ ବୈବାହିକ ଜୀବନ ଥିଲା ଖୁବ୍ ସୁଖମୟ। ୧୯୦୫ରେ ବଙ୍ଗଭଙ୍ଗ ସମୟରେ ସେ ଭାରତର ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ଗୋପାଳ କୃଷ୍ଣ ଗୋଖଲେଙ୍କ ନଜରକୁ ଆସିଥିଲେ। ଆନିବେଶାନ୍ତଙ୍କ ଭଳି ନାରୀନେତ୍ରୀଙ୍କ ନଜରକୁ ମଧ୍ୟ ସରୋଜିନୀ ଆସିଥିଲେ। ୧୯୧୬ରେ ବିହାରର ଚମ୍ପାରଣ କୃଷକମାନଙ୍କ ଆନ୍ଦୋଳନରେ ସେ ସାମିଲ ହୋଇଥିଲେ। ଏଥିପାଇଁ ତାଙ୍କୁ ଜେଲ ଯିବାକୁ ପଡିଥିଲା। ୧୯୨୫ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସର କାନପୁର ଅଥିବଶେନରେ ଅଧ୍ୟକ୍ଷତା କରିଥିଲେ। ଆଇନ୍ ଅମାନ୍ୟ ଆନ୍ଦୋଳନରେ ଯୋଗଦେଇ ସେ ଜେଲ୍ ଯାଇଥିଲେ। ଭାରତୀୟ ଜାତୀୟ କଂଗ୍ରେସର ସେ ଥିଲେ ପ୍ରଥମ ମହିଳା ଅଧ୍ୟକ୍ଷା। ସେ ପ୍ରଥମ ମହିଳା ରାଜ୍ୟପାଳ ଭାବେ ଉତ୍ତର ପ୍ରଦେଶର ଦାୟିତ୍ବ ଗ୍ରହଣ କରିଥିଲେ। ସ୍ବାଧୀନତା ଆନ୍ଦୋଳନ ପାଇଁ ସେ ବହୁବାର ବିଦେଶ ଯାତ୍ରା କରିଥିଲେ। ସରୋଜିନୀଙ୍କ ପରି ତାଙ୍କ ଝିଅ ପଦ୍ମଜା ମଧ୍ୟ ସ୍ବାଧୀନତା ଆନ୍ଦୋଳନରେ ବେଶ୍ ସକ୍ରିୟ ଥିଲେ। ୧୯୪୯ ମସିହା ମାର୍ଚ୍ଚ ୨ ତାରିଖରେ ସରୋଜିନୀ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ସରୋଜିନୀ ଇଂରାଜୀରେ ବହୁ କବିତା ଲେଖିଛନ୍ତି। ତେବେ ତାଙ୍କର ମଧୁର ବାଣୀ, ସୁନ୍ଦର କବିତା ଓ ପ୍ରଭାବଶାଳୀ ଭାଷଣ ଯୋଗୁଁ ସେ ଭାରତର ‘କୋକିଳା’ ଓ ‘ବୁଲ୍ବୁଲ୍’ ଭାବେ ପରିଚିତ। ସରୋଜିନୀ ସାରା ବିଶ୍ବର ମହିଳାଙ୍କ ପାଇଁ ସେ ଥିଲେ ଆଦର୍ଶ ଓ ପ୍ରେରଣା।
ଭାରତର ବୁଲ୍ବୁଲ୍ ସରୋଜିନୀ ନାଇଡୁ
- Post published:February 13, 2022
- Post category:ସ୍ୱତନ୍ତ୍ର
- Post comments:0 Comments
- Post author:Swagatika Samantray
