ଅନୁଗୁଳ: ରାଜ୍ୟର ପ୍ରତ୍ୟେକ ସହରକୁ ସୁନ୍ଦର ତଥା ସମୃଦ୍ଧ କରିବାକୁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଏହି ଯୋଜନାରେ ଅନୁଗୁଳ ସହରରେ ବି ଅନେକ ଉନ୍ନତିମୂଳକ କାର୍ଯ୍ୟ ହେଉଛି। କିନ୍ତୁ ସହରରେ ଏବେ ବି ଅନେକ ସମସ୍ୟା ଲାଗି ରହିଛି, ଯାହା ପ୍ରତି କୌଣସି ଅଧିକାରୀ ଦୃଷ୍ଟି ଦେଉନାହାନ୍ତି। ସହରର ସୌନ୍ଦର୍ଯ୍ୟ କରଣ ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏବେ ବି ରାସ୍ତା କଡ଼ରେ ପଡି ରହୁଛି କୁଢ଼ କୁଢ଼ ଅଳିଆ ଆବର୍ଜନା। ରାସ୍ତାଘାଟରେ ମାଳ ମାଳ ଗାଈ ଗୋରୁ ଶୋଇରହୁଥିବାରୁ ଲୋକମାନେ ଯିବାଆସିବା ବେଳେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସହରର ଏବେ ଆଉ ଏକ ବଡ଼ ସମସ୍ୟା ପାଲଟିଛନ୍ତି ଭିକାରୀ। ଅନୁଗୁଳ ସହରରେ ଏବେ ଭିକାରୀଙ୍କ ଉପଦ୍ରବ ଦେଖିବାକୁ ମିଳୁଛି। ଏମାନଙ୍କ ମଧ୍ୟରେ ନାବାଳକଙ୍କ ସଂଖ୍ୟା ସବୁଠୁ ଅଧିକ। ମନ୍ଦିର, ଦୋକାନ, ବଜାର ସବୁଠି ଏମାନେ ଲୋକଙ୍କୁ ହଇରାଣ କରୁଥିବା ଦେଖିବାକୁ ମିଳୁଛି। ଆଉ ଯଦି କେହି ଭିକ ଦେବାକୁ ମନା କରେ ତେବେ ଏମାନେ ସିଧାସଳଖ ତାଙ୍କ ଗୋଡ଼କୁ ମାଡ଼ି ବସୁଛନ୍ତି। ଫଳରେ ବାଧ୍ୟ ହୋଇ ଲୋକମାନେ ଅନିଚ୍ଛା ସତ୍ତ୍ୱେ ଦାନ କରୁଛନ୍ତି। ଫଳରେ ଅସନ୍ତୁଷ୍ଟ ହେଉଥିବା ଦେଖାଯାଇଛି।
ସେହିଭଳି ବହୁ ମାନସିକ ରୋଗୀ ବି ଏବେ ସହରରେ ବୁଲୁଥିବା ଦେଖାଯାଇଛି। ଏମାନେ ବସ ଷ୍ଟାଣ୍ଡ, ପାର୍କ, ବଜାର ଘାଟ ସବୁଠି ବୁଲୁଛନ୍ତି। ବେଳେବେଳେ ପଥଚାରୀ ମାନେ ବି ଏମାନଙ୍କ ଆକ୍ରମଣର ଶିକାର ହେଉଥିବା ନଜିର ରହିଛି। ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏସବୁ ସମସ୍ୟା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।